ମାଲକାନଗିରି,୧୫/୦୫(ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଡାମେଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବା ଶୁକ୍ରବାର ଦିନ ୧୧.୩୦ ସମୟରେ ଦେଖିବାକୁ ମିଳିଛି। ନା କାର୍ଯ୍ୟାଳୟରେ ପାଦ ପଡୁଛି ପଂଚାୟତ ଅଧିକାରୀଙ୍କର, ନା ଦେଖା ମିଳୁଛି ଜିଆରଏସଙ୍କ। ପଞ୍ଚାୟତରେ ନିୟୋଜିତ ପିଅନ କିମ୍ବା ଯୋଗାଣ ସହାୟକ ଙ୍କ ମଧ୍ୟ ଦେଖା ମିଳୁନି। ତେବେ ପ୍ରଚଣ୍ଡ ଗ୍ରୀଷ୍ମ କୁ ଆଖି ଆଗରେ ରଖି ସରକାର ସକାଳ ୭ ରୁ ଦିନ ୧ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲିବା ନେଇ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ଏଠି କିନ୍ତୁ ସେହି ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ପଞ୍ଚାୟତ ର ସମସ୍ତ କର୍ମଚାରୀ। ତେବେ ଆଜି ପଂଚାୟତ କୁ ନିଜ ନିଜର ସମସ୍ୟା ନେଇ ଆସିଥିବା ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଲୋକେ ଦୀର୍ଘ ସମୟ ଏହି ସରକାରୀ ବାବୁ ଙ୍କ ବାଟ ଚାହିଁ ବସି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଅଞ୍ଚଳବାସୀ ଙ୍କ ଅଭିଯୋଗ ଅନୁଯାୟୀ ପଞ୍ଚାୟତ ଅଧିକାରୀ ବିରାରାମ ଭୂମିଆ ବହୁ ସମୟରେ ଗ୍ରାମ ସଭା ନିଜେ ଡାକି ଠିକ ସମୟରେ ନ ଆସି ଘଣ୍ଟା ଘଣ୍ଟା ପଞ୍ଚାୟତବାସୀ ଙ୍କୁ ଅପେକ୍ଷା କରାଉଛନ୍ତି। ସେହିପରି ପଂଚାୟତ ର ସମସ୍ତ କର୍ମଚାରୀ ୭ ଟା ସମୟରୁ ନିଜର ଡ୍ୟୁଟି ଆରମ୍ଭ ହେଉଥିବା ବେଳେ ଦିନ ୧୧ଟା ପରେ ବେଳେ ବେଳେ ଆସୁଛନ୍ତି ଅଥବା ଏହିପରି ଭାବେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ଏନେଇ କୌଣସି ଗ୍ରାମବାସୀ ଅଭିଯୋଗ କରନ୍ତି ତ ଫିଲଡ଼ ଡ୍ୟୁଟି ର ଆଳ କିମ୍ବା ବ୍ଲକ କାର୍ଯ୍ୟାଳୟରେ ବୈଠକ ଥିବା କହି ପଂଚାୟତ ଅଧିକାରୀ ଶ୍ରୀ ଭୂମିଆ ଏବଂ ଜିଆରଏସ ସୁନ୍ଦରରାୟ ମୁଦୁଲି ଖସି ଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏନେଇ ଆମେ ପଞ୍ଚାୟତ ଅଧିକାରୀ ଶ୍ରୀ ଭୂମିଆ ଙ୍କୁ ପଚାରିବାରୁ ସେ କଥା ଟିକୁ ଅତି ହାଲୁକା ନେବା ସହ ସେ କଣ କରିବେ ସେ ସର୍ବଦା ଫିଲଡ଼ ଡ୍ୟୁଟି କରୁଥିବା ହେତୁ ସେ ଯୋଗାଣ ସହାୟକ ଏବଂ ପିଅନ ଙ୍କୁ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଉଭୟଙ୍କ ର କୌଣସି ବ୍ୟକ୍ତିଗତ କାମ ଥିବା ହେତୁ ଏପରି ତାଲା ପଡି ଯାଇଥାଇ ପାରେ ବୋଲି ପ୍ରକାଶ କରିଛନ୍ତି। ଆମେ ବିଡ଼ିଓ ଅମୂଲ୍ୟ କୁମାର ସାହୁଙ୍କୁ ପଚାରିବାରୁ ସେ ତାଲା ପଡିବା କଥା କୁ ଗ୍ରହଣ କରିବା ସହ ଏପରି ତ ହେବା କଥା ନାହିଁ, ଯଦି ଫିଲଡ଼ ଡ୍ୟୁଟି ରେ ଅଧିକାରୀ ବ୍ୟସ୍ତ ରୁହନ୍ତି ତ ନୋଟିସ ବୋର୍ଡ ରେ ପଂଚାୟତ ଅଧିକାରୀ ଏବଂ ଜିଆରଏସ କେଉଁ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ତାର ନିର୍ଦ୍ଧାରିତ ସମୟ ଚିଠି ବୋର୍ଡରେ ଟଙ୍ଗା ଯିବା କଥା କିନ୍ତୁ ଏଭଳି ନ କରିଥିବା ହେତୁ ସେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ କେବଳ କୋରୁକୋଣ୍ଡା ବ୍ଲକର ଏହି ଗୋଟିଏ ପଂଚାୟତ ନୁହେଁ ପ୍ରାୟ ପଂଚାୟତ ଗୁଡିକରେ ଏହିଭଳି ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

