ମାଲକାନଗିରି,୦୭/୦୪ (ସୁଧାଂଶୁ ଶେଖର ମହାନ୍ତି)ଗାର୍ଡ ୱାଲ କୁ ପିଟିଲା ବାଇକ, ବାଇକ ଚାଳକଙ୍କ ସମେତ ଅନ୍ୟ ଜଣେ ଆହତ। ଆଜି ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଚିତାପାରୀ-୩ ପୋଲ ନିକଟରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ୨ ଯୁବକ ବାଲିମେଳା ସହରକୁ ମା ଗ୍ରାମଦେବୀ ଠାକୁରାଣୀ ଙ୍କ ଯାତ୍ରା ଦେଖିବାକୁ ଆସିଥିଲେ। ଫେରିବା ସମୟରେ ଉଭୟ ଯୁବକ ଅତ୍ୟଧିକ ମଦ୍ୟପାନ କରିଥିଲେ। ଯାହାଦ୍ଵାରା ଉଭୟ ଦ୍ରୁତ ଗତିରେ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ଲୁହା ଗାର୍ଡ ୱାଲ କୁ ପିଟି ଏଭଳି ଦୁର୍ଘଟଣା ର ଶିକାର ହୋଇଥିବା ଜଣାପଡିଛି। ୨ ଯୁବକ ଙ୍କ ମଧ୍ୟରୁ ଜଣଙ୍କ ନାମ ଆଦିତ୍ୟ ମାଢ଼ି, ଘର ବାଣ୍ଡିଗୁଡା ଏବଂ ଅନ୍ୟ ଜଣଙ୍କ ନାମ ପ୍ରଫୁଲ୍ଲ ମାଡକାମୀ, ଘର ତୁମସାପାଲି ବୋଲି ସୂଚନା ମିଳିଛି। ତେବେ ଦୁର୍ଘଟଣା ହୋଇଥିବା ଖବର ପାଇ ଓରକେଲ ଥାନା ଏଏସଆଇ ଅଜିତ ଟାକରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଆହତ ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଆହତ ଯୁବକ ଆଦିତ୍ୟର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଦେଖି ତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ମେଡିକାଲ ଇନଚାର୍ଜ ଡାକ୍ତର ସୌଭାଗ୍ୟ ରଞ୍ଜନ ହୁଈ କହିଛନ୍ତି।
