ଯୋଡ଼ା, ୧୩/୦୩(ପାଇକପୁଅ): ଯୋଡ଼ା ସ୍ଥିତ ଟାଟା ମେନ୍ ହସ୍ପିଟାଲ୍ (ଟିଏମ୍ଏଚ୍)ର ଅଭିଜ୍ଞ ଡାକ୍ତରୀ ଦଳ ଜଣେ ୫୧ ବର୍ଷୀୟା ମହିଳାଙ୍କର ଜୀବନରକ୍ଷାକାରୀ ଅସ୍ତ୍ରୋପଚାର କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ଏବଂ ଟାଟା ଷ୍ଟିଲ୍ର ସହାୟତାରେ ଏହି ଚିକିତ୍ସା କରାଯାଇଛି।
ଯୋଡ଼ା ନିକଟସ୍ଥ କେନ୍ଦ୍ରୁପାଣି ଅଞ୍ଚଳର ଜଣେ ମହିଳା ଅତ୍ୟଧିକ ଦୁର୍ବଳ ହୋଇଯିବା ଏବଂ ରକ୍ତସ୍ରାବ ଯୋଗୁଁ ନିକଟରେ ଏକ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଟିଏମଏଚ୍ ଯୋଡ଼ାକୁ ସ୍ଥାନାନ୍ତରିତ ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କର ରକ୍ତଚାପ ଅସ୍ୱାଭାବିକ ଭାବେ ହ୍ରାସ ପାଇଥିବା ବେଳେ ପ୍ରାଥମିକ ଭାବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।
ତାଙ୍କ ଶରୀରରେ ହେମୋଗ୍ଲୋବିନ ମାତ୍ରା କମ୍ ଥିବାରୁ ତାଙ୍କୁ ଏକାଧିକ ଥର ରକ୍ତ ଦିଆଯାଇଥିଲା।ଡାକ୍ତରୀ ପରୀକ୍ଷା ନିରୀକ୍ଷା ସମୟରେ ମହିଳାଙ୍କ ୟୁଟେରସ (ସରଭିକ୍ସ)ରେ ‘ସର୍ଭିକାଲ୍ ଫାଇବ୍ରଏଡ୍’ ନନ୍ କ୍ୟାନସରିୟସ ଟ୍ୟୁମର୍ ଚିହ୍ନଟ ହୋଇଥିଲା।
ଏହି ପ୍ରକାରର ଟ୍ୟୁମର୍ ବହୁତ କମ୍ ଦେଖିବାକୁ ମିଳିଥାଏ ଏବଂ ଏହାର ଅସ୍ତ୍ରୋପଚାର କରିବା ସମୟରେ ମୂତ୍ରାଶୟ, ମୂତ୍ରନଳୀ ଏବଂ ଆଖପାଖର ରକ୍ତବାହୀ ନଳୀଗୁଡ଼ିକ ପ୍ରତି କ୍ଷତି ପହଞ୍ଚିବାର ଯଥେଷ୍ଟ ଆଶଙ୍କା ରହିଥାଏ।ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ହେମୋଗ୍ଲୋବିନ ସ୍ତର ସ୍ଥିର ହେବା ପରେ, ଟିଏମଏଚ୍ ଯୋଡ଼ାର ଡାକ୍ତରୀ ଦଳ ‘ଆବଡୋମିନାଲ୍ ହିଷ୍ଟେରେକ୍ଟୋମି’ ଅସ୍ତ୍ରୋପଚାର କରିଥିଲେ। ଅତ୍ୟନ୍ତ ସାବଧାନତାର ସହ କରାଯାଇଥିବା ଏହି ଅସ୍ତ୍ରୋପଚାର ମାଧ୍ୟମରେ କୌଣସି ଅନ୍ୟ ଅଙ୍ଗର କ୍ଷତି ନକରି ଟ୍ୟୁମର୍ ସହିତ ୟୁଟେରସ ଏବଂ ଗର୍ଭାଶୟକୁ ସଫଳତାର ସହ ବାହାର କରାଯାଇଥିଲା।
ବର୍ତ୍ତମାନ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଷ୍ଟିଚ୍ ବାହାର କରାଯିବା ଏବଂ ଶରୀରରେ ହିମୋଗ୍ଲୋବିନ ସ୍ତରରେ ଉନ୍ନତି ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଏହି ସଫଳ ଅସ୍ତ୍ରୋପଚାର ପରେ ରୋଗୀ ଏବଂ ତାଙ୍କ ପରିବାର ବର୍ଗ ଡାକ୍ତରୀଦଳ ଙ୍କୁ ସାଧୁବାଦ ଜଣାଇଛନ୍ତି।
