ବାରିପଦା,୧୦/୦୩(ପାଇକପୁଅ)ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମାରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ସୁଭାଶିଷ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷାର ଆବଶ୍ୟକତା ଓ ଆଜିର ଦିନରେ ଝିଅଟିଏ ଆତ୍ମରକ୍ଷା ଜାଣିଲେ ସମାଜରେ ନିଜକୁ ସୁରକ୍ଷିତ ରଖିପାରିବ ବୋଲି କହିଥିଲେ।ସେହିପରି ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ କୌଶଲ୍ୟା ନାୟକ ଯୋଗଦେଇ ଆଜିର ସମାଜରେ ନାରୀ ସୁରକ୍ଷିତ ନୁହେଁ, ପାଦେ ପାଦେ ଲାଂଛନା, ପ୍ରତାରଣା, ହିଂସା ଆଦିକୁ ସାମ୍ନା କରୁଛି।ପୁରୁଷ ପ୍ରଧାନ ସମାଜରେ ନାରୀ ଅନେକ ସମୟରେ ନିଜକୁ ଦୁର୍ବଳ ବୋଲି ଭାବିବାକୁ ବାଧ୍ୟହେଉଛି, କାରଣ ସେ ନିଜକୁ ସୁରକ୍ଷା ଦେବାରେ ଅସମର୍ଥ।ତେବେ ଆଜି ନିଜକୁ ସୁରକ୍ଷା ଦେବାର ସମୟ ଆସିଛି ଏବଂ ଏହା ଦ୍ଵାରା ନାରୀ ନିଜ ସମ୍ମାନ ରକ୍ଷା କରିବାକୁ ସମର୍ଥ ହେବବୋଲି କହିଥିଲେ। ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ସିଂହ ନିଜର ସଭାପତି ଅଭିଭାଷଣରେ ବିଭିନ୍ନ ପୁରାଣ, ମହାଭାରତ ଆଦିର ଉଦାହରଣ ଦେଇ, ନାରୀ ନିଜର ରକ୍ଷା କିପରି କରିପାରିଥିଲେ ସେ ସଂପର୍କରେ ଆଲୋଚନା କରିବା ସହିତ ଝିଅ ମାନେ ନିଜେ ଦୃଢ଼ମନା ହେବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ କିପରି ସାମ୍ନା କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ତଥା ଭୂତତ୍ତ୍ୱ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ସୁନିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ, ସହ -ସଂଯୋଜିକା ତଥା ପ୍ରାଣୀବିଜ୍ଞାନ ବିଭାରର ସହକାରୀ ପ୍ରଫେସର ଡ. ସ୍ମରଣିକା ସାହୁ ଅତିଥି ପରିଚୟ ପଦାନ କରିଥିଲେ।ଏହିକ୍ରମରେ ଆତ୍ମ ରକ୍ଷା ସମ୍ପର୍କିତ ସ୍ଲୋଗାନ ଲେଖା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ତିମ ପର୍ଯ୍ୟାୟରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ମୂଳକ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା।ଶେଷରେ କ୍ରୀଡ଼ା ପ୍ରଶିକ୍ଷିକା ସୁଶ୍ରୀ ତନିସ୍କା ମନସ୍ବିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
