ମାଲକାନଗିରି,୧୬/୦୨ (ସୁଧାଂଶୁ ଶେଖର ମହାନ୍ତି)ରାଜ୍ୟ ସରକାର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି। ସେନେଇ ଗାଁ ଗହଳି ରେ ନିଜ ହାତ ପାହାନ୍ତାରେ ଲୋକେ କିପରି ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥି ନିମନ୍ତେ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଖୋଲାଯାଉଛି। ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନୂତନ କୋଠା ନିର୍ମାଣ କରାଯାଇଛି। କିନ୍ତୁ ଆଜିକୁ ୨ ବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ କୋଠା ର ଉଦଘାଟନ ନ ହୋଇ ଏଯାଏଁ ବିଭାଗ କୁ ହସ୍ତାନ୍ତର ନ ହୋଇ ଭୂତ କୋଠି ପାଲଟିବା ସହ ମଦ୍ୟପ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ଉକ୍ତ କୋଠା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ କୋଠା ଟି କେତେ ଟଙ୍କା ବ୍ୟୟ ବରାଦ ରେ ହୋଇଛି ସେନେଇ କୌଣସି ସୂଚନାଫଳକ ମଧ୍ୟ ବିଭାଗ ପକ୍ଷରୁ ନଥିବା ଦେଖିବାକୁ ମିଳିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ମାରିବେଡା ପଂଚାୟତର ଏମଭି-୨୫ ଗ୍ରାମରେ ନିର୍ମାଣ ହୋଇଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦେଖିବାକୁ ମିଳିଛି। ଗ୍ରାମବାସୀ ଙ୍କ କହିବାନୁଯାୟୀ ଆଜକୁ ୨ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେବ ନୂତନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ନେଇ ଏକ ବଡ଼ କୋଠା ତାଙ୍କ ଗ୍ରାମରେ ବିଭାଗ ପକ୍ଷରୁ ନିର୍ମାଣ କରାଗଲା। କିନ୍ତୁ କୋଠା ଟି ନିର୍ମାଣ ହେଲା ସତ କିନ୍ତୁ ଆଜି ପର୍ଯ୍ୟନ୍ତ ନା ସେଠି କୌଣସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଙ୍କ ପାଦ ପଡିଲା ନା ଗ୍ରାମବାସୀ ସ୍ୱାସ୍ଥ୍ୟ ସେବା ପାଇ ପାରିଲେ। ଏଯାଏଁ କୋଠା ଟି ଉଦଘାଟନ ହୋଇ ନଥିବା ବେଳେ ନିର୍ମାଣ ଦିନରୁ ଉକ୍ତ କୋଠା ରେ ତାଲା ପଡିଥିବା ଗ୍ରାମବାସୀ କହିଛନ୍ତି। ନୂତନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଟି ବ୍ୟବହାର ହେଉ ନଥିବା ହେତୁ ଏହା ଅସାମାଜିକ ବ୍ୟକ୍ତି ମାନଙ୍କ ମଦର ଆଡ୍ଡାସ୍ଥଳୀ ପାଲଟିଛି। ଏଥିସହ ଝରକା ରେ ଲାଗିଥିବା କାଚ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ଆମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିପୁଲ ବୈଭବ ଙ୍କୁ ପଚାରିବାରୁ ସେ ନିର୍ମାଣ ପରଠାରୁ ଉକ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ର ର ଚାବି ତାଙ୍କୁ ହସ୍ତାନ୍ତର କରାଯାଇନାହିଁ। ଏବଂ ଉକ୍ତ ସ୍ଥାନରେ ସସ୍ମିତା ମିଶ୍ର ନାମକ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଦାୟିତ୍ୱ ରେ ରହିଛନ୍ତି। ତେବେ କୋଠା ର ଚାରିପଟେ ପାଚେରୀ ନଥିବାରୁ ସେ ସେଠାରେ ରହିବା ସୁରକ୍ଷିତ ମନେ କରୁ ନଥିବା କହିଛନ୍ତି। ଏଥିସହ ଉକ୍ତ ସ୍ଥାନରେ ଜଣେ ସିଏଚଓ ଙ୍କ ଆବଶ୍ୟକତା ରହିଛି କିନ୍ତୁ ଏଯାଏଁ ସେଠାରେ କୌଣସି ସିଏଚଓ ଜଏନ କରି ନଥିବା ସେ କହିଛନ୍ତି। ଏଥିସହ ଏହି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ପାଖାପାଖି ୧୧ଟି ଗ୍ରାମ ରହିଥିବା ବେଳେ ବର୍ତ୍ତମାନ ଉକ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଟି ପିତାକୋଣ୍ଡା ଗ୍ରାମରେ ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ବୈଭବ କହିଛନ୍ତି। ତେବେ ଲକ୍ଷାଧିକ ଟଙ୍କାର ନିର୍ମାଣ ଏହି ଉପ ସ୍ୱାସ୍ଥ୍ୟକେନ୍ଦ୍ର କେବେ ସଚଳ ହେବ ତାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ। ତେଣୁ ତୁରନ୍ତ ଏହି ଉପ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
