କୋଣାର୍କ,୧୩/୦୨(ପାଇକପୁଅ)ଗୁରୁବାର ଭାରତ ବନ୍ଦର ପ୍ରଭାବ କୋଣାର୍କରେ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଦାବୀକୁ ନେଇ ୧୪ଟି ଶ୍ରମିକ ସଂଗଠନ ଓ ୫ଟି ରାଜନୈତିକ ଦଳର ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଖୁବାକୁ ମିଳିଥିଲା।କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ସମସ୍ତ ସରକାରୀ ଦପ୍ତର, ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ କିଛି ଦୋକାନ ବଜାର ଖୋଲା ରହିଥିଲା।ରାସ୍ତାରେ ଯାତ୍ରୀବାହୀ ଓ ପର୍ଯ୍ୟଟକବାହୀ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୁଇଚକିଆ ଓ ଚାରି ଚକିଆ ଗାଡ଼ି ମଟର ଚଳାଚଳ କରୁଥିବା ପରିଲକ୍ଷିତ ହୋଇଛି।ପୂର୍ବ ଘୋଷଣା ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ବେହେରା, ଶ୍ରମିକ ନେତା ମନୋରଞ୍ଜନ ପରିଡା, ସୁକାନ୍ତି କୁମାର ମହାନ୍ତି,ଭାସ୍କର ସେଠଙ୍କ ନେତୃତ୍ବରେ ଶତାଧୂକ କର୍ମୀ ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର ବନ୍ଦ କରିଥିଲେ,ପରେ ଆଇଓସିଏଲ ବ୍ୟାଖ୍ୟାନ କେନ୍ଦ୍ର ଓ ମୁଖ୍ୟ ଦ୍ବାର ବନ୍ଦ କରାଇଥିଲେ।ଫଳରେ ସୂର୍ଯ୍ୟମନ୍ଦିର ଆସିଥିବା ପର୍ଯ୍ୟଟକମାନେ ପରିଦର୍ଶନ କରି ନପାରି ନିରାଶରେ ଫେରିଥିଲେ। ଭୁବନେଶ୍ବରରୁ କୋଣାର୍କକୁ ଓ କୋଣାର୍କରୁ ପୁରୀ, କାକଟପୁର ଆଦି ରୁଟରେ ଯାତ୍ରୀବାହୀ ବସ ଚଳାଚଳ,ବ୍ୟାଙ୍କ,ପୋଷ୍ଟ ଅଫିସ ଆଦି ବନ୍ଦ ରହିଥିଲା।ସେହିପରି ଚନ୍ଦ୍ରଭାଗା ବେଳାଭୂମି ଶୂନଶାନ ହୋଇପଡିଥିଲା। ଫଳରେ କୋଣାର୍କରେ ବନ୍ଦ ପ୍ରଭାବ ଅନୁଭୂତ ହୋଇଥିଲା।
