ଭୁବନେଶ୍ୱର,୦୪/୦୧(ପାଇକପୁଅ)ସାମାଜିକ କଲ୍ୟାଣ ଓ ଜନସଚେତନତା କ୍ଷେତ୍ରରେ କାର୍ଯ୍ୟରତ ମେହରିନ୍ ଫାଉଣ୍ଡେସନ୍ ପକ୍ଷରୁ ଗଣତନ୍ତ୍ର ଦିବସ–୨୦୨୬ ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ସମାରୋହ ବୁଦ୍ଧ ମନ୍ଦିର,ୟୁନିଟ୍ – ୩,ଖାରବେଳ ନଗର, ଭୁବନେଶ୍ୱରରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜାତୀୟ ମାନବ ଅଧିକାର ଓ ସାମାଜିକ ନ୍ୟାୟ ଆୟୋଗର ରାଷ୍ଟ୍ରୀୟ ସଚିବ ତଥା ମାନବାଧିକାର କର୍ମୀ ଶ୍ରୀ ଅଭିଜିତ ଦୀକ୍ଷିତ୍, ଭୁବନେଶ୍ୱର ଡିଭିଜନାଲ୍ ଫରେଷ୍ଟ ଅଫିସର ଶ୍ରୀ ଶିଶିର କୁମାର ମିଶ୍ର, ଏବଂ ଶିଶୁ ବିକାଶ କ୍ଷେତ୍ରରେ ନିବେଦିତା ଲେଙ୍କା (ଯଶୋଦା ମା) ଅତିଥି ଭାବେ ଯୋଗଦେଇଥିଲେ।
ଶ୍ରୀ ଅଭିଜିତ ଦୀକ୍ଷିତ୍ ତାଙ୍କ ଭାଷଣରେ ଶିଶୁ ଓ ଯୁବପିଢ଼ିଙ୍କୁ ଆଧ୍ୟାତ୍ମିକ ମୂଲ୍ୟବୋଧ, ସତ୍ୟ, ଦୟା, ସହାନୁଭୂତି ଓ ମନୁଷ୍ୟତାକୁ ଜୀବନର ମୂଳ ଆଧାର କରିବାକୁ ପରାମର୍ଶ ଦେଇଥିଲେ। ଶିଶୁଦିନରୁ ସଠିକ୍ ମୂଲ୍ୟବୋଧ ଗଢ଼ି ଉଠିଲେ ମାନବାଧିକାର ପ୍ରତି ସମ୍ମାନ ସ୍ୱାଭାବିକ ଭାବେ ଜୀବନରେ ପ୍ରତିଫଳିତ ହୁଏ ବୋଲି ସେ କହିଥିଲେ।
ଭୁବନେଶ୍ୱର ଡିଏଫଓ ଶ୍ରୀ ଶିଶିର କୁମାର ମିଶ୍ର ତାଙ୍କ ତାଲବ୍ୟାସରେ କହିଥିଲେ ଯେ ପରିବେଶ ସୁରକ୍ଷା ଓ ଜୈବ ବିବିଧତା ସଂରକ୍ଷଣ କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ। ଗଛ ଲଗାଇବା, ପ୍ରାକୃତିକ ସମ୍ପଦକୁ ସୁରକ୍ଷା କରିବା ମାଧ୍ୟମରେ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ପୃଥିବୀ ଗଢ଼ି ତୋଳିବାକୁ ସେ ଆହ୍ୱାନ ଜଣାଇଥିଲେ।
ଯଶୋଦା ମା ଭାବେ ପରିଚିତ ନିବେଦିତା ଲେଙ୍କା ତାଙ୍କ ଭାଷଣରେ ଶିଶୁ ବିକାଶ, ମାଆଙ୍କ ଭୂମିକା ଓ ସଂସ୍କାରମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଶିଶୁର ମନଭିତରେ ଅସୀମ ସମ୍ଭାବନା ରହିଥାଏ, ଯାହାକୁ ସଠିକ୍ ଦିଗଦର୍ଶନ, ସ୍ନେହ ଓ ସମର୍ଥନ ମାଧ୍ୟମରେ ଉନ୍ନତ କରାଯାଇପାରେ। ଶିଶୁମାନଙ୍କ ସାର୍ବଙ୍ଗୀଣ ବିକାଶରେ ପରିବାର ଓ ସମାଜର ସଂଯୁକ୍ତ ଭୂମିକା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଦୁହେଁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ମେହରିନ୍ ଫାଉଣ୍ଡେସନ୍ର ସାମାଜିକ, ଶିକ୍ଷାମୂଳକ ଓ ସଚେତନତାମୂଳକ କାର୍ଯ୍ୟକଳାପକୁ ଉଚ୍ଚ ପ୍ରଶଂସା କରି ଭବିଷ୍ୟତରେ ସଂସ୍ଥା ସହ ଜଡିତ ରହି ସମାଜ ସେବାରେ ସହଯୋଗ କରିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।
ସମାରୋହର ସମଗ୍ର ସଞ୍ଚାଳନ ଓ ସୁସଂଗଠିତ ପରିଚାଳନାର ଦାୟିତ୍ୱ ମେହରିନ୍ ଫାଉଣ୍ଡେସନ୍ର ସଚିବ ଡା. ଆୟେଶା ନନ୍ଦା ଦକ୍ଷତାର ସହ ନିର୍ବାହ କରିଥିଲେ। ତାଙ୍କ ନେତୃତ୍ୱରେ ସଂସ୍ଥାର ସଦସ୍ୟ ନୀଳୟ ପଟ୍ଟନାୟକ, ଡା. ରୀନା ମିଶ୍ର, ସଂଗୀତା ସ୍ୱାଇଁ, ପଦ୍ମାବତୀ ପିଲ୍ଲାଇ, ନିହାରିକା ପଟ୍ଟନାୟକ ଓ ଲିନା ମିଶ୍ର ସମସ୍ତେ ନିଜ-ନିଜ ଦାୟିତ୍ୱକୁ ସର୍ବୋତ୍ତମ ଭାବେ ନିର୍ବାହ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଶିଶୁ ଓ ଯୁବ ପ୍ରତିଭାମାନଙ୍କୁ ପୁରସ୍କାର ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ସେହିପରି, ବିଭିନ୍ନ କ୍ଷେତ୍ରରେ ଏକାଧିକ ପ୍ରତିଭା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ “ସର୍ଟିଫିକେଟ୍ ଅଫ୍ ଭର୍ସାଟାଇଲ୍ ଏକ୍ସିଲେନ୍ସ” (All-Rounder Award) ପ୍ରଦାନ କରାଯାଇଥିଲା। ପ୍ରତିଭା ପୋଷଣ ଓ ଶିଶୁମାନଙ୍କ ସାର୍ବଙ୍ଗୀଣ ବିକାଶ ପାଇଁ ଏହା ଏକ ନୂତନ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ଜାତୀୟ ସ୍ତରରେ ପ୍ରତିଭାଶାଳୀ ଶିଶୁମାନଙ୍କୁ ସମ୍ମାନିତ କରିବା ପାଇଁ “ନ୍ୟାସନାଲ୍ ଚାଇଲ୍ଡ ପ୍ରୋଡିଜି ଅୱାର୍ଡ” ଆୟୋଜନ କରିବା ଯୋଜନା ରହିଥିବା କଥା ମଧ୍ୟ ଜଣାପଡ଼ିଛି।
