ବାରିପଦା, ୧୪/୦୧(ପାଇକପୁଅ)ମୟୂରଭଞ୍ଜର ପ୍ରସିଦ୍ଧ ଗଣପର୍ବ ମକର ଉତ୍ସବ ଅବସରରେ ଜିଲ୍ଲାର ପ୍ରମୁଖ ସାରସ୍ବତ ସଂଗଠନ ମୟୂରଭଞ୍ଜ ସାହିତ୍ୟ ପରିଷଦ ତରଫରୁ ଏକ ସାରସ୍ବତ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ମହର୍ଷି ପବ୍ଲିକ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟର ସେନାପତି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଯାଇଛି।
ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଶେଖର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପରିଷଦର ପ୍ରାକ୍ତନ ସଭାପତି ତଥା ବିଶିଷ୍ଠ ସାହିତ୍ୟିକ ଅଜିତ କୁମାର କବାଟ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମକର ସଂକ୍ରାନ୍ତିର ତାତ୍ପର୍ଯ୍ୟ ଏବଂ ତହିଁରେ ମୟୂରଭଞ୍ଜର ସାଂସ୍କୃତିକ ଐତିହ୍ୟର ଉପରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବରେ ନାଟ୍ୟକାର ଓ କବି ଅଜିତ ପାଣିଗ୍ରାହୀ, କବୟିତ୍ରୀ ବାସନ୍ତୀଲତା ମହାପାତ୍ର ଯୋଗ ଦେଇ ଓଡ଼ିଆ ଭାଷାର ସ୍ବାତନ୍ତ୍ର ପ୍ରତିପାଦିତ କରିବା ଦିଗରେ ଫକୀର ମୋହନ ସେନାପତିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଆବାହନରେ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ପରିଷଦର ସଂପାଦକ ମନୋଜ ଦଳବେହେରା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। କବୟିତ୍ରୀ ସ୍ନେହଲତା ନାୟକ ଏବଂ କବି ଗୋପାଳ ଚନ୍ଦ୍ର ସାଓଙ୍କ ମିଳିତ ସଂଯୋଜନାରେ ଆୟୋଜିତ କବିତା ଆସରରେ ପଣ୍ତିତ ଭାଗବତ ପଣ୍ତା, ଡ଼. ଶଶିଧର ବିଶ୍ବାଳ, ନରସିଂହ ବାରିକ, ଅଜୟ କୁମାର ପାଳ, ବନମାଳୀ ପାତ୍ର, ଡ. ସଂଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ଅନେକ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ. କବି ଶଙ୍କର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

