ବାରିପଦା, ୦୯/୦୧(ପାଇକପୁଅ)ତେଲେଙ୍ଗାନା ଠାରେ ଅନୁଷ୍ଠିତ ହେବାକୁ ଥିବା ୫୮ ତମ ବରିଷ୍ଠ ଜାତୀୟ ଖୋଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରୁଥିବା ଓଡିଶା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ଅର୍ଜୁନ ସିଂ।ଏହି ଚମ୍ପିୟାନସିପ ତେଲେଙ୍ଗାନାର କାଜିପେଟ ରେଲୱେ ପଡିଆରେ ଚଳିତ ମାସ ୧୧ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।ମୟୁରଭଞ୍ଜ ଆଥଲେଟିକ ଆସୋସିଏସନ ତରଫରୁ ପୁରୀ ସ୍ଥିତ ଜଗନ୍ନାଥ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଚୟନ ଶିବିରରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ଅର୍ଜୁନ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି। ବଡ଼ସାହି ବ୍ଲୁ ଖୋଖୋ କ୍ଲବରେ କୋଚ ଧର୍ମେନ୍ଦ୍ର ପଣ୍ଡାଙ୍କ ଠାରୁ ପ୍ରଶିକ୍ଷଣ ପାଇ ରାଜ୍ୟ ଦଳରେ ସୁଯୋଗ ପାଇଛନ୍ତି ବୋଲି ଅର୍ଜୁନ ପ୍ରକାଶ କରିଛନ୍ତି। ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ମହୁଲକରକଚିଆ ଗ୍ରାମର ସୁଦାନ ସିଂ ଓ ବାସିନୀ ସିଂ ଙ୍କ ପୁତ୍ର ଅର୍ଜୁନ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ନେଉଛନ୍ତି। ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ମୟୁରଭଞ୍ଜ ଆଥଲେଟିକ ଆସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସମେତ ସମସ୍ତ କାଉନସିଲ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ଖେଳ ପାଇଁ ସଫଳତା କାମନା କରିଛନ୍ତି।
