ମାଲକାନଗିରି,୦୭/୦୧ (ପାଇକପୁଅ)ମାଲକାନଗିରି ଜିଲ୍ଲା ନୀଳାଦ୍ରୀନଗର ସ୍ଥିତ ସୋରଲୁକୋଣ୍ଡା ବ୍ୟାରେଜ ଠାରେ ପୋଟେରୁ ଜଳ ସେଚନ ବିଭାଗ ସର୍ବୋଚ୍ଚ ନିର୍ମାଣ ଯନ୍ତ୍ରୀ ଇଂ ତୃପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ପୋଟେରୁ ଜଳ ସେଚନ ବିଭାଗ ପକ୍ଷରୁ ମହାଆଡମ୍ବରରେ ଚଳିତ ବର୍ଷ ପାଇଁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି।ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ଧୂପଦ୍ବୀପ ପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ କୁମାର ପାଣି , ମୁଖ୍ୟବକ୍ତା ଭାବେ ଜିଲ୍ଲା କାଡା ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ଵରୁପ କୁମାର ମାଝି, ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ମାଲକାନଗିରି ବିଧାୟକ ପ୍ରତିନିଧି ମୁଁୟା ମାଡକାମୀ , ସାମ୍ବାଦିକ ନିରଞ୍ଜନ ମଲ୍ଲ, ସାମ୍ବାଦିକ ଦେବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଇଂ ସୌମେନ ନାଥଙ୍କ ଦ୍ବାରା ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ଏହା ପରେ ଉପସ୍ଥିତ ଶତାଧିକ ଚାଷୀ ଏବଂ ଅତିଥି ମାନଙ୍କୁ ଶପଥ ପାଠ କରାଯିବା ପରେ କୁନି କୁନି ପିଲାମାନଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ପୂର୍ବକ ଅତିଥିଙ୍କ ସ୍ୱାଗତ କରାଯିବା ପରେ ମଞ୍ଚାସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସର୍ବୋଚ୍ଚ ନିର୍ମାଣ ଯନ୍ତ୍ରୀ ଇଂ ଶ୍ରୀ ପାତ୍ର ଚାଷୀ ମାନଙ୍କୁ ବିଶେଷ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଳର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ବିନିଯୋଗ ସମ୍ପର୍କରେ ବୁଝାଇବା ସହ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଚାଷର ପ୍ରକ୍ରିୟା ବିଷୟରେ ଆଲୋକପାତ କରିଥିଲେ। କେବଳ ଧାନ ଚାଷ ନୁହେଁ ବରଂ ରବି ଫସଲ , ଧଳା ରାଶି , ସୁଗନ୍ଧଯୁକ୍ତ ଧାନ ଚାଷର ବିଶେଷତ୍ବ ସମ୍ପର୍କରେ ବିସ୍ତୃତ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସୌମେନ ନାଥ ମଞ୍ଚ ପରିଚାଳନା କରିବା ସହ ଉପସ୍ଥିତ ଚାଷୀ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କିତ ସମସ୍ତ ପ୍ରଶ୍ନର ସନ୍ତୁଷ୍ଟି ଜନକ ଉତ୍ତର ରଖିଥିଲେ। ବିଭାଗ ସର୍ବଦା ଚାଷୀମାନଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛି ବୋଲି ଜଣାଇଥିଲେ। ଏହାପରେ କାର୍ଯ୍ୟକ୍ରମ ଉଦଯାପନୀରେ ସ୍ଥାନୀୟ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରାଯିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅର୍ଜୁନ ବିଶୋଇଙ୍କ ଦ୍ଵାରା ସମସ୍ତ ଚାଷୀ କୂଳ ଏବଂ ଉପସ୍ଥିତ ଅତିଥିମାନେ ନିଜର ବହୁ ମୂଲ୍ୟ ସମୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।
