ବାରିପଦା ତ,୦୩/୦୧(ପାଇକପୁଅ) ଜିଲ୍ଲାସ୍ତରୀୟ ସ୍ୱଦେଶୀ ମହୋତ୍ସବ ମେଘାସନୀ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ହେମକାନ୍ତ ସୟ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫେବୃଆରୀ ୧ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଓରମାସ ତଥା ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ପକ୍ଷରୁ ଆୟୋଜନ ହେବାକୁ ଥିବା ଏହି ମେଳାରେ ୨୫୦ଟି ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ଖୋଲିବାକୁ ଯୋଜନା ହୋଇଛି।ସେହିପରି ଏହି ଉତ୍ସବ ଅବସରରେ ଶିମିଳିପାଳକୁ ମଣିଷକୃତ ନିଆଁ ଦାଉରୁ ରକ୍ଷା କରିବା ବାର୍ତ୍ତା ପ୍ରଚାର ପାଇଁ ଏକ ହାଫ ମାରାଥନ ଓ ଶିମିଳିପାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।ମେଳାରେ ଏକ ଜିଲ୍ଲା ଏକ ଉତ୍ପାଦକୁ ପ୍ରୋତ୍ସାହନ କରିବା ପାଇଁ ଆଇଟିଆଇ ଓ ପଲିଟେକନିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ୱଦେଶୀ ଉତ୍ପାଦ ଉପରେ ନମୁନା ପ୍ରଦର୍ଶନ ହେବା ସହ ଉଦ୍ୟମିତା ବୃଦ୍ଧି ଉପରେ କର୍ମଶାଳା ଆୟୋଜନ ହେବ ମେଳାରେ ସୁଭାଦ୍ର ଶକ୍ତି ସମ୍ପର୍କିତ ଷ୍ଟୋଲ ଗୁଡ଼ିକ ମଧ୍ୟ ସ୍ଥାନୀତ ହେବ।ଏଥିରେ ଲକ୍ଷପତି ଦିଦି ଆସି ନିଜର ଅଭିଜ୍ଞତା ବାଣ୍ଟିବେ। ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ ପାଇଁ ମଧ୍ୟ କର୍ମଶାଳା ଆୟୋଜନ ହେବ। ଏହି ମେଳାକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସୟ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱ ଦେଇ ମେଳକୁ ଆସିବାକୁ ଥିବା ଖାଦ୍ୟ ଷ୍ଟଲ ଗୁଡିକ ଶାଳପତ୍ରକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।ସେହିପରି ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଓରମାସ ର ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ରୋହନ ରୟ, ପିଏ ଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
