ବାରିପଦା, ୦୧/୦୧(ପାଇକପୁଅ)ନବବର୍ଷରେ ମୟୂରଭଞ୍ଜ ସିଟିଜେନ ଫୋରମର ୧୬ତମ ବାର୍ଷିକ ଉତ୍ସବ ଉପଲକ୍ଷେ ୭୭ତମ ମୟୂରଭଞ୍ଜ ମିଶ୍ରଣ ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି।ଫୋରମର ସଭାପତି ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଫୋରମର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ସ୍ବାଗତ ଅଭିଭାଷଣ ରଖି ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମାର ଦ୍ବିତୀୟ ଅଧ୍ୟାୟକୁ ସାର୍ବଜନୀନ କରାଯିବା ସହ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ।ଫୋରମର ପୃଷ୍ଟପୋଷକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଉପସ୍ଥିତ ରହି ଜିଲ୍ଲାର ବିକାଶ ଓ ଉନ୍ମତି ଦିଗରେ ସମସ୍ତଙ୍କ ପ୍ରଚେଷ୍ଟା ଜାରି ରହିବା ଉଚିତ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ ଯୋଗଦେଇ ରାଜ୍ୟ ଓ ଦେଶପାଇଁ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଆଇଏସ ଅଧିକାରୀ ବିଜୟ ପୃଷ୍ଟିଙ୍କ ପ୍ରେରିତ ମୟୂରଭଞ୍ଜ ମିଶ୍ରଣର ତଥ୍ୟ ଉପସ୍ଥାପନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟାପକ ସନ୍ଦିପ କୁମାର ଚାନ୍ଦ, ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ରାଜକିଶୋର ଆଚାର୍ଯ୍ୟ, ରଞ୍ଜନ ବାନାର୍ଜୀ, ସାଇ ପ୍ରକାଶ ମହାନ୍ତି ଓ କୃତି ଶିକ୍ଷକ ଶଶୀଧର ବିଶ୍ବାଳ ପ୍ରମୁଖ ଆଲୋଚନାରେ ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମା କାର୍ଯ୍ୟକାରୀ, ଶିମିଳିପାଳର ସୁରକ୍ଷା ପାଇଁ କେନ୍ଦ୍ର ସରକାଙ୍କର ଆର୍ମ ଆକ୍ଟ ଲାଗୁ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମାପ୍ତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ମଧ୍ୟରେ ବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା, ବାରିପଦାରେ ବୁଢାବଳଙ୍ଗ ଆଡିବନ୍ଧ ଯୋଜନାର ଶୁଭାରମ୍ଭ, ରାସଗୋବିନ୍ଦପୁର ଏୟାରପୋର୍ଟ ନିର୍ମାଣ ପାଇଁ ସରକାର ଜୋରଦେବା ବିଷୟରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଫୋରମ ତରଫରୁ ବରିଷ୍ଠ ସାମ୍ବାଦିକ ଡ.ବିଜୟ କୁମାର ଅଗ୍ରଓ୍ବାଲ ଓ ମହାତ୍ମାଗାନ୍ଧୀ ଚକ୍ଷୁ ଡାକ୍ତରଖାନାର ମୁଖ୍ୟ ଆଦିତ୍ୟ ପଟ୍ଟନାୟକଙ୍କୁ ମୟୂରଭଞ୍ଜ ସିଟିଜେନ ଆୱାର୍ଡ ପ୍ରଦାନ କରାଯାଇଥିଲାସମ୍ପାଦକ ବିଭୁଦତ୍ତ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଦସ୍ୟ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

