ମାଲକାନଗିରି,୨୬/୧୨ (ସୁଧାଂଶୁ ଶେଖର ମହାନ୍ତି)ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ଗତ ୨୪ ତାରିଖ ଠାରୁ ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ସେହିପରି ଭାବେ ଜିଲ୍ଲାର କୋରୁକୋଣ୍ଡା ଲ୍ୟାମ୍ପ ଅଧୀନରେ ପ୍ରଥମ ଦିନରେ ପିଟାଗାଟା, କାମା୍ୱାଡା, ପୋଟ୍ରେଲ ଠାରେ ଶୁଭ ଆରମ୍ଭ ହୋଇଥିବା ବେଳେ ଗୁରୁବାର ଚିତାପାରି ଏବଂ ନୀଳାକାମ୍ବେରୁ ଠାରେ ଶୁଭାରମ୍ଭ କରାଯାଇଥିଲା। ଏବଂ ଆଜି ତୃତୀୟ ଦିନରେ କୋରୁକୋଣ୍ଡା ବ୍ଲକ ସଦର ଠାରେ ଖରିଫ ଋତୁରେ ଧାନକିଣା ନିମନ୍ତେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପଞ୍ଚାୟତ ସରପଞ୍ଚ ପଦ୍ମା ମାଡ଼କାମୀ, କୋରୁକୋଣ୍ଡା ଲ୍ୟାମ୍ପସ ସଭାପତି ସାଲୁ ଖିଲ, ଏମଡି ଅଭିମନ୍ୟୁ ହାଲବା, ମଣ୍ଡି ପରିଚାଳନା କମିଟି ସଭାପତି ଗୋବିନ୍ଦ ପାତ୍ର, ଉପସଭାପତି, ବନମାଳି ପାତ୍ର, ସମ୍ପାଦକ କୈଳାସ ଧାକଡ଼, କୋଷାଧକ୍ଷ ଚକ୍ରଧର ରୁଦ୍ରକ୍ଷ୍ୟଙ୍କ ସମେତ ମଣ୍ଡି ପରିଚାଲନା କମିଟି ସଦସ୍ୟ ଏବଂ ବହୁ ଚାଷୀ ଉପସ୍ଥିତ ରହିଥିଲେ। ଦୁଃଖ ଓ ପରିତାପର ବିଷୟ ଆଜକୁ ୩ ଦିନ ଧରି ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ,ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ମଧ୍ୟ ମଣ୍ଡିରେ ଜଣେ ମଧ୍ୟ ଚାଷୀର ଧାନ କିଣା ଯାଇନଥିବା ଚାଷୀମାନେ କହିଛନ୍ତି। ସରକାରଙ୍କ ତରଫରୁ ବିଭିନ୍ନ ମଣ୍ଡି ଅଧିନ ଚାଷୀଙ୍କର ଆଜି ଧାନ ବିକିବା ନିମନ୍ତେ ଟୋକେନ ଆସିଥିବା ବେଳେ କୌଣସି ଚାଷୀଙ୍କ ଠାରୁ ଆଜି ଧାନ ଉଠାଯାଇନଥିବା ସ୍ଥାନୀୟ ଚାଷୀମାନେ କହିଥିଲେ। ଏବଂ ବହୁ ଚାଷୀ ଧାନ ଆଣି ମଣ୍ଡିରେ ରଖିଥିବା ବେଳେ ସେସବୁର ସୁରକ୍ଷା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। କାରଣ କୋରୁକୋଣ୍ଡା ସ୍ଥିତ ମଣ୍ଡି ପାଚେରୀର କିଛି ସ୍ଥାନ ଭାଙ୍ଗି ଯାଇଥିବା ବେଳେ ରାତ୍ର ସମୟରେ ଆଲୋକୀକରଣର କୌଣସି ସୁବିଧା ମଧ୍ୟ ନାହିଁ। ରାତିହେଲେ ସମଗ୍ର ମଣ୍ଡି ଅନ୍ଧାର ହୋଇ ରହୁଥିବା ବେଳେ ନିଜ ନିଜର ଧାନର ସୁରକ୍ଷାକୁ ନେଇ ଚିନ୍ତାରେ ଥିବା କହିଛନ୍ତି ଚାଷୀ। ଏନେଇ ଆମେ ଲ୍ୟାମ୍ପସ ଏମଡି ଶ୍ରୀ ହାଲବାଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ମିଲର ଲିଷ୍ଟ ଆସିନାହିଁ, ତେଣୁ ଧାନ କିଣିବାରେ ବିଳମ୍ବ ହେଉଥିବା ସେ କହିଥିଲେ। ମିଲର ଲିଷ୍ଟ ଆସିନଥିବା ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ନିଜ ସମସ୍ୟା ଜଣାଇବାରୁ ସେ କହିଥିଲେ ଯେ ଆସନ୍ତା ସୋମବାର ସୁଧା ମିଲର ଲିଷ୍ଟ ଆସିଯିବ ଏବଂ ଧାନ କିଣା ଆରମ୍ଭ ହେବ। ତେବେ ତୁରନ୍ତ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବାକୁ ଚାଷୀ ମହଲରେ ଦାବି ହେଉଛି।

