ଭୁବନେଶ୍ଵର,୧୭/୧୨(ପାଇକପୁଅ) ସ୍ଥାନୀୟ ଡିଏଭି କଳିଙ୍ଗ ନଗରର ବାର୍ଷିକ ଉତ୍ସବ “ୟୁଡ଼େମୋନିଆ” ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବର୍ଣାଢ୍ଯ ଉତ୍ସବରେ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥୁ ଭାବେ ଯୋଗଦେଇ ଆଲୋକବର୍ତ୍ତିକାସମ ଛାତ୍ରଛାତ୍ରୀମାନଙ୍କର
ଉଜ୍ଜ୍ଵଳ ଭବିଷ୍ୟତ ନିର୍ମାଣରେ ଡିଏଭି ବିଦ୍ୟାଳୟସମୂହର ଅବଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ।ଏଥି ସହିତ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସହ ପ୍ରଯୁକ୍ତିବିଦ୍ୟାର ସଦୁପଯୋଗ ତଥା ପରିବେଶ ସୁରକ୍ଷା ଉପରେ ଧାନ ଦେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଡିଏଭି ବିଦ୍ୟାଳୟ ସମୁଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନମନସ୍କ ହେବା ପାଇଁ ଆହ୍ବାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅଧ୍ୟକ୍ଷ ବଳରାମ ମହାପାତ୍ର ବିଦ୍ୟାଳୟର ସଫଳତା ସୁଚୀ ସହ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଶେଷ କରି ବିଗତ ଶିକ୍ଷାବର୍ଷର ଦ୍ବାଦଶ
ଶ୍ରେଣୀ ନିମନ୍ତେ ଆୟୁଷ୍ଠାନ ସାହୁ, ଦଶମ ଶ୍ରେଣୀ ନିମନ୍ତେ ଅର୍ପିତା ସାହାଣୀଙ୍କୁ ବିଦ୍ୟାଳୟର ବେଷ୍ଟ ଅଲରାଉଣ୍ଡର,ଶ୍ରେଷ୍ଠ ଚିତ୍ରକାର ଭାବେ ହିମ୍ନିଶ ଭରଦ୍ଵାଜ, ଶ୍ରେଷ୍ଠ ବାଳିକା ଭାବେ ଛାତ୍ରୀ ପ୍ରୀତିଝଙ୍କାର ଏବଂ ମେଧାବୀ ଛାତ୍ର ଭାବେ ସୁତଭ୍ୟ କର୍ମକର୍ ଓ ମେଧୀର ଷଢ଼ଙ୍ଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ଛାତ୍ରୀ ତିତିକ୍ଷା
ଦତ୍ତଙ୍କ ପିତାମାତାଙ୍କୁ ‘ପ୍ୟାରେଣ୍ଟସ୍ ଅଫ୍ ଦ ଇୟର’ ପୁରସ୍କାର ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ତଥା ବିଦ୍ୟାଳୟ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା ନିମନ୍ତେ ଆୟୋଜିତ କ୍ରିକେଟ୍ ପ୍ରତିଯୋଗିତାରେ ବିଜୟୀ ଅଭିଭାବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା ସାହୁ, ସହ ଆଞ୍ଚଳିକ ନିର୍ଦ୍ଦେଶିକା ତଥା ବିଦ୍ୟାଳୟର ମ୍ୟାନେଜର ଈପ୍ସିତା ଦାସ, ସହ ଆଞ୍ଚଳିକ ନିର୍ଦ୍ଦେଶକ ବିପିନ କୁମାର ସାହୁ, ଶିକ୍ଷାବିତ୍ଡ ଭାଗ୍ୟବତୀ ନାୟକ, ବିଦ୍ୟାଳୟ ପରିଚାଳନା ସାମିତିର ଓ ଶିକ୍ଷକ ଅଭିଭାବକ ସମନ୍ଵୟ ସମିତିର ସଦସ୍ୟ ବୃନ୍ଦ,ବିଭିନ୍ନ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଅଧକ୍ଷା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ ବିଦ୍ୟାଳୟର ୭୫୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

