ବାରିପଦା,୧୮/୧୧(ପାଇକପୁଅ)ଆମେ ମୟୂରଭଞ୍ଜିଆ ଓ ବାରିପଦା ପୌର ପରିଷଦ ଆନୁକୂଲ୍ୟରେ ଚାଲି ଥିବା ଚାରି ଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ଉଦ ଯାପିତ ହୋଇ ଯାଇଛି। ବାରିପଦା ଶିଶୁ ଉଦ୍ୟାନ, ପୌରପରିଷଦ ଅତିଥି ଶାଳା, କଲ୍ୟାଣ ମଣ୍ଡପ ଏବଂ ଶହୀଦ ସ୍ମୃତି ଭବନ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ରାସ୍ତାରେ ଚାରୋଟି ମଞ୍ଚରେ ଏହି ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଦିନରୁ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ପ୍ରାର୍ଥନାମଞ୍ଚ ଠୁ ଆରମ୍ଭ କରି ଯୋଗ ଶିବିର ସହିତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଚାରି ଦିନ ଧରି ୪୫ ରୁ ଉର୍ଦ୍ଧ୍ୱ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅଭିଭାବକଙ୍କ ମଧ୍ୟରେ ମଧ୍ୟ କେତେକ ପ୍ରତିଯୋଗିତା କରା ଯାଇଥିଲା। ଏହି ମହୋତ୍ସବକୁ ଓଡିଶା ଚିନ୍ମୟ ମିଶନର ମୁଖ୍ୟ ପୂଜ୍ୟ ସ୍ୱାମୀଜୀ ସଦାନନ୍ଦ ସରସ୍ବତୀ ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସନ୍ଧ୍ୟାରେ ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲା ଓ ଅଭିଭାବକ ଙ୍କୁ ଉଚ୍ଚ ହେବା ପାଇଁ ମନରେ ସକାରାତ୍ମକ ଭାବନାର ମଞ୍ଜି ବୁଣିବା ଆବଶ୍ୟକ ବୋଲି କହିଥିଲେ।ଏହି ଅବସରରେ ବାରିପଦା ରେ ପ୍ରଥମ ଥର ପାଇଁ ଆୟୋଜିତ ପଥ ମହୋତ୍ସବକୁ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ।ଦ୍ଵିତୀୟ ଦିବସରେ ଯୁବ ସଂସ୍କାର କାର୍ଯ୍ୟକ୍ରମର ପୁରୋଧା ସେବକ ଗୋପାଳ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡା ପାର୍ଥ ସାରଥୀ ଜେନା ଯୋଗ ଦେଇଥିଲେ। ତୃତୀୟ ଦିବସରେ ପୂର୍ବତନ ପିସି ସିଏଫ ତଥା ଲୋକାୟୁକ୍ତ ଡ଼ ଦେବ ବ୍ରତ ସ୍ୱାଇଁ ଯୋଗ ଦେଇ ଶିମିଳିପାଳ ର ଅକୁହା କାହାଣୀ କୁ କହି ଥିଲେ l ସେହି ପରି ଚତୁର୍ଥ ଦିନର ପ୍ରଥମ ଅଧିବେଶନ ରେ ଏମ ପି ସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଫେସର ନାରାୟଣ ପ୍ରସାଦ ବେହେରାଙ୍କ ସମେତ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚିତ୍ର ଶିଳ୍ପୀ ସୁନାରାମ ସିଂ ଓ ପ୍ରଜାପିତା ବ୍ରହ୍ମ କୁମାରୀର ଗୀତାରାଣୀ ସ୍ୱାଇଁ ଯୋଗଦେଇ ଶିଶୁ ଉଦ୍ୟାନ ରେ ସଂସ୍କାର ଶିଶୁ ମହୋତ୍ସବ ର ସ୍ମାରକୀ ସ୍ୱରୂପ ଏକ ସମିବୃକ୍ଷ ଓ ଏକ ବାଇଗଣୀ ମନ୍ଦାର ରୋପଣ କରିଥିଲେ।ପ୍ରଥମ ଥର ପାଇଁ ଆୟୋଜିତ ପଥ ଉତ୍ସବରେ ଢାବୁଲ ନାଚ, ପାଣ୍ଡା ନୃତ୍ୟ, ଛଉ ନୃତ୍ୟ, ଝୁମର ନୃତ୍ୟ, ଯୋଗ, ଷ୍ଟଣ୍ଟ, ଡ୍ରାମା, ରଙ୍ଗୋଲି, ବାଲୁକା କଳା ସହିତ ପ୍ରଥମ ଥର ପାଇଁ ୫୦ ଫୁଟ ଲମ୍ବ ଓ ୫ ଫୁଟ ଉଚ୍ଚତା ବିଶିଷ୍ଟ କ୍ୟାନ ଭାସ ରେ ଚିର ସବୁଜ ଶିମିଳିପାଳ କୁ ରଙ୍ଗ ତୁଳୀ ରେ ଖ୍ୟାତ ନାମା ଚିତ୍ର ଶିଳ୍ପୀ ଙ୍କ ତତ୍ୱା ବଧାନ ରେ କୁନି କୁନି ଚିତ୍ର ଶିଳ୍ପୀ ଙ୍କ ଦ୍ୱାରା ପେଣ୍ଟିଙ୍ଗ କରା ଯାଇଥିଲା। ଚାରିଦିନ ଧରି ଭିନ୍ନ ଭିନ୍ନ ଥିମ ରେ ଶିଳ୍ପୀ ଦଶରଥ ମହାନ୍ତ ବାଲୁକା କଳା ପ୍ରଦର୍ଶନ କରିଥିବା ବେଳେ ଶେଷ ଦିନ ରେ ବୈଶିଙ୍ଗା ନିକଟରେ ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଦାନ୍ତହାତୀ ରାଫେଲ କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା। ଏହି ଅବସରରେ ଜଙ୍ଗଲ ଥିମ ରେ ପିଲାଙ୍କ ପାଇଁ କରାଯାଇଥିବା ସେଲ୍ଫି ଷ୍ଟାଣ୍ଡ ପିଲାଙ୍କର ଆକର୍ଷଣ ସାଜିଥିବା ବେଳେ ଶିଳ୍ପୀ ସମରେନ୍ଦ୍ର ବେହେରା ଙ୍କ ଦ୍ୱାରା ଡିବି ଧୂଆଁ ରେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଫଟୋଚିତ୍ର ଅଙ୍କନ ସ୍ମକ ଆର୍ଟ ଏବଂ ବିଭିନ୍ନ ପରିବା ମାଧ୍ୟମରେ ମୁଦ୍ରଣ କଳା କୃତୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।ସେହିପରି ଶିଳ୍ପୀ ସୁନାରାମ ସିଂଙ୍କ ଦ୍ୱାରା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଲାଇଭ ପୋଟ୍ରେଟ ଅଙ୍କନ ଓ ଜଗନ୍ନାଥ ସାହୁଙ୍କ ବିଜ୍ଞାନ ଭିତ୍ତିକ ମ୍ୟାଜିକ ସୋ ସମସ୍ତଙ୍କ ମନରେ ବେଶ କୌତୁହଳ ସୃଷ୍ଟି କରିଥିଲା। ଏହି ଅବସରରେ ଭୂଇଁରୁ ଆକାଶ ଓ କାନ୍ଦୁଛି ବନାନୀ ଭଳି ଦୁଇଟି ଉଚ୍ଚ କୋଟିର ଶିଶୁ ନାଟକ ମଞ୍ଚସ୍ଥ ହୋଇଥିଲା।ପ୍ରତିଦିନ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନ ମୋହୁଥିବା ବେଳେ ଶେଷ ସନ୍ଧ୍ୟାରେ ନୃତ୍ୟ ଗୀତରେ ମସଗୁଲ କୁନି କୁନି ପିଲା ମହୋତ୍ସବ ଛାଡି ଯିବାକୁ ଅମଙ୍ଗ ହୋଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନୃତ୍ୟ ରେ ମଜ୍ଜି ରହିଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ମହୋତ୍ସବ କମିଟିର ସ୍ଥାୟୀ ଅଧ୍ୟକ୍ଷ କୃଷ୍ଣା ନନ୍ଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷା ଡ଼ ବନଜା ମହାନ୍ତି ଓ ମହୋତ୍ସବ ର ମୁଖ୍ୟ ସଞ୍ଜୟ କୁମାର ଚୌଧୁରୀଙ୍କ ଯୁଗ୍ମ ତତ୍ୱାବଧାନ ରେ ମୁଖ୍ୟ ବକ୍ତା ଭାବେ ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା ସମ୍ମାନିତ ଅତିଥି ଭାବେ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ର ପ୍ରତିଷ୍ଠାତା ସମାଜସେବୀ ଡ଼ ଆଦିତ୍ୟ ପଟ୍ଟନାୟକ, ଶିକ୍ଷାବିତ ଗୀତାରାଣୀ ପଟ୍ଟନାୟକ, ବିଶେଷ ଅତିଥି ଭାବେ ଡା କୈଳାଶ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।ଏହି ଅବସରରେ ବିଭିନ୍ନ ବ୍ୟକ୍ତିତ୍ୱ ଙ୍କ ସମେତ ଶୃଙ୍ଖଳିତ ଆଚରଣ ପାଇଁ ଅଭିଭାବକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

