ମାଲକାନଗିରି,୧୮/୦୮(ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଥିବା ଦେଖାଦେଇଛି। ଏହି ପରିସ୍ଥିତିରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ମୂଲ୍ୟାୟନ କରିଛନ୍ତି। ଲଗାଣ ବର୍ଷା ଫଳରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ଫଳରେ ଅନେକ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ବିଧାୟକ ଶ୍ରୀ ମାଡ଼କାମି ଏକ ପ୍ରତିନିଧି ଦଳ ସହିତ ପୋଟେରୁ ପୋଲ, କନ୍ୟାଶ୍ରମ ପୋଲ ଏବଂ କାଙ୍ଗୁରୁକୋଣ୍ଡା ପୋଲ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନରେ କାଲିମେଳା ବିଡ଼ିଓ ପ୍ରଦୀପ କୁମାର କର ଙ୍କ ସମେତ ସଞ୍ଜୟ ସରକାର , ନିହାର ରାୟ , ମାଣିକ ଲାଲ ଚକ୍ରବର୍ତି, ରତନ ବଣିକ , ନବଘନ ଲୋକେଇ, ପରିମଲ ବିଶ୍ୱାସ, ଦୀପକ ସାହା, ପ୍ରମିଳା ଦାସ, ରାକେଶ ରାୟ ଓ ଅନ୍ୟାନ୍ୟ ପ୍ରତିନିଧି ଉପସ୍ଥିତ ଥିଲେ। ବର୍ତ୍ତମାନ କେବଳ କନ୍ୟାଶ୍ରମ ପୋଲ ଉପରେ ଜଳ ପ୍ରବାହିତ ହେଉଛି, ଅନ୍ୟ ପୋଲଗୁଡ଼ିକରେ ସ୍ଥିତି ସୁଧୁରିଛି ଏବଂ ଯାତାୟାତ ସ୍ୱାଭାବିକ ହୋଇଛି। ବିଧାୟକ ଶ୍ରୀ ମାଡ଼କାମି କହିଛନ୍ତି ଯେ ବନ୍ୟା ପ୍ରଭାବିତ ନିମ୍ନସ୍ତରରେ ଥିବା ପୋଲଗୁଡ଼ିକର ସମୀକ୍ଷା କରି ଶୀଘ୍ର କିପରି ନୂତନ କରି ଉଚ୍ଚସ୍ତରୀୟ ପୋଲ ନିର୍ମାଣ କରାଯିବ ସେନେଇ ସେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

