ମାଲକାନଗିରି,୧୮/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗତକାଲି ସକାଳ ୮ଟା ରୁ ଆଜି ସକାଳ ୮ଟା ମଧ୍ୟରେ ଜିଲ୍ଲାରେ ମୋଟ ୪୯୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ମୋଟ ୭୦.୩୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସକାଳୁ କିଛି ପୋଲ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଜିଲ୍ଲାର ପୋଟେରୁ ଓ ଏମ. ଭି-୯୬ ପୋଲ ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳ ହ୍ରାସ ପାଇଥିବା ବେଳେ କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ନିକଟସ୍ଥ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାପଡିଛି। ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମାରୁ କାଲିମେଳା, ଏମ.ଭି-୭୯ ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ କାଲିମେଳା ବ୍ଲକ ଠାରୁ ପଡ଼ିଆ ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ପୋଲଗୁଡିକର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖାଯାଇଛି। ଏଥିସହ ମାଲକାନଗିରି ବିମାନ ବନ୍ଦରର ପାଚେରୀର ପ୍ରାୟ ୨୦ ଫୁଟ ଭାଙ୍ଗି ଯାଇଥିବା ଦେଖାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତି ଉପୁଜିଲେ, ଓଡ୍ରାଫ୍ ଟିମ୍ କୁ ପ୍ରସ୍ତୁତ ହୋଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

