ବାରିପଦା, ୦୬/୧୦(ପାଇକପୁଅ)ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ମୟୂରଭଞ୍ଜରେ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଦଳର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ବାରିପଦା ସ୍ଥିତ ନିଜେ ପାଠ ପଢିଥିବା ପୁରାତନ ଶିକ୍ଷାନୁଷ୍ଠାନ ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରାରେ ଶହୀଦ ସ୍ମୃତି ଭବନରେ ପହଞ୍ଚି ସେଠାରେ ଆୟୋଜିତ କର୍ମୀ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗ ଦେଇ ଆଗାମୀ ଦିନରେ ବାରିପଦା ପୌର ନିର୍ବାଚନକୁ ନଜରରେ ରଖି ଦଳ ପକ୍ଷରୁ ବିଭିନ୍ନ ରଣନୀତି ଓ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଥିସହ ମୟୂରଭଞ୍ଜ ଜିଲ୍ଲାର ବିକାଶକୁ ନେଇ ମୋକିମ ଅସନ୍ତୋଷ ପ୍ରକାଶ କରିଥିଲେ। ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ସେ ଅଭିଯୋଗ କରିଥିଲେ। ରାସ୍ତାଘାଟ, ଟ୍ରାଫିକ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସମସ୍ୟାର ସମାଧାନ ଦିଗରେ ଆଶାନୁରୂପ ବିକାଶ ହୋଇପାରିନାହିଁ। ଜିଲ୍ଲାରୁ ସାଂସଦ ଓ ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ମୟୂରଭଞ୍ଜର ସାମଗ୍ରିକ ବିକାଶ ପାଇଁ ଆଶାନୁରୂପ ଠୋସ ପଦକ୍ଷେପ ନିଆ ଯାଇନଥିବା ମୋକିମ ଅଭିଯୋଗ କରିଥିଲେ।
ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ମୟୂରଭଞ୍ଜ ଜିଲ୍ଲା ଓ ବାରିପଦା ସହରର ବିକାଶକୁ ମୁଖ୍ୟ ଏଜେଣ୍ଡା ଭାବେ ଗ୍ରହଣ କରି କାର୍ଯ୍ୟ କରିବ ବୋଲି ମୋକିମ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଓଡିଶା ଜନତା କଂଗ୍ରେସ ର ରାଜ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ସଦସ୍ୟ ଅଂଶୁମାନ ଦାସଙ୍କର ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ନିକୁଞ୍ଜ ପଶାୟତ, ପ୍ରଦୀପ ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ସଂଗ୍ରାମ ମାଝୀ, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ଓଜେସିର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ମଂଚାସୀନ ହୋଇ ଓଡ଼ିଶାର ବିକାଶ ପାଇଁ ବିକଳ୍ପ ରାଜନୈତିକ ଶକ୍ତି ଆବଶ୍ୟକତା ରହିଛି ବୋଲି କହିଥିଲେ. ଏହି ଅବସର ରେ ଦଳରେ ନୂତନ ଭାବରେ ସଂଜୀବ ପଟ୍ଟନାୟକ, ୱାସୀମ ଇମାମ, କନ୍ୟାକୁମାରୀ ଧଡା, ମହମ୍ମଦ ଆକିଲ,
ମାନସ ରଞ୍ଜନ କବାଟ, ଆକ୍ରମ ଖାନ, ଦେବନାରାୟଣ ଧଡ଼ା ପ୍ରମୁଖ ସଂଗଠକ ଯୋଗଦେଇ ଥିଲେ।

