ବାରିପଦା,୦୬/୧୦(ପାଇକପୁଅ)ଆଜି ବାରିପଦା ମୁନିସପାଲଟି ଗେଷ୍ଟ ହାଉସ ଠାରେ ମୟୁରଭଞ୍ଜ ଉଠା ଜଳସେଚନ ଠିକାଦାର ସଙ୍ଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ବାରିପଦା ଡିଭିଜନ ଅଧୀନରେ ଜାରି ହୋଇଥିବା ନୂତନ ଟେଣ୍ଡରରେ କେତେକ କାର୍ଯ୍ୟର ଦର ଅତ୍ୟନ୍ତ କମ ରହିଥିବାରୁ କାମର ଗୁଣବତ୍ତା ବଜାୟ ରଖିବା ନେଇ ଠିକାଦାର ମାନେ ଆପତ୍ତି ଉଠାଇଛନ୍ତି। ଏନେଇ ମୟୁରଭଞ୍ଜ ଉଠା ଜଳସେଚନ ଠିକାଦାର ସଙ୍ଘ ତରଫରୁ ମୟୁରଭଞ୍ଜ ଉଠା ଜଳସେଚନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ନୂତନ ଟେଣ୍ଡରକୁ ବାତିଲ କରି ଦର ସଂଶୋଧନ ପରେ ପୁନଃ ଟେଣ୍ଡର ଆହ୍ୱାନ କରିବାକୁ ଦାବି କରିଛନ୍ତି। ଠିକାଦାର ମାନେ ଦର୍ଶାଇଛନ୍ତି ଯେ, ପୂର୍ବରୁ ଇ-ଟେଣ୍ଡର କଲ ନୋଟିସ ନଂ. ୪୧୪୨, ତା. ୧୮ା୦୩ା୨୦୨୫ ଅନୁସାରେ ହୋଇଥିବା କାର୍ଯ୍ୟର କେତେକ ଦର ତୁଳନାତ୍ମକ ଭାବେ ଅଧିକ ଥିଲା। ଏ ସମ୍ପର୍କରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ଲିଫ୍ଟ ଇରିଗେସନ ସର୍କଲ, ବାଲେଶ୍ୱରଙ୍କ ପକ୍ଷରୁ ଏଲଆର ନଂ. ୧୦୩, ତା. ୨୫ା୦୪ା୨୦୨୫ ଜାରି ହୋଇଥିବା ଚିଠିରେ ମଧ୍ୟ ଦର ସମ୍ପର୍କିତ ତଥ୍ୟ ରହିଛି।
ଅନ୍ୟପକ୍ଷରେ, ବର୍ତ୍ତମାନର ବିଡ ଆଇଡି ନୋଟିସ ନଂ. ୩୧୦୨/ଓଏଲଆଇସି/୨୦୨୬-୨୭, ତା. ୦୩ା୦୯ା୨୦୨୬ରେ କେତେକ କାର୍ଯ୍ୟର ଦର ଅତ୍ୟନ୍ତ କମ ରହିଥିବା ଠିକାଦାର ମାନେ ଅଭିଯୋଗ କରିଛନ୍ତି। ଏଭଳି ଦରରେ କାର୍ଯ୍ୟ କଲେ ନିର୍ଦ୍ଧାରିତ ମାନର କାମ କରିବା କଷ୍ଟକର ହେବ ବୋଲି ସେମାନେ ଦର୍ଶାଇଛନ୍ତି। ଉପରୋକ୍ତ ଟେଣ୍ଡରରେ ବାଲେଶ୍ଵର ଜିଲ୍ଲା ଟେଣ୍ଡର ଦର ଠାରୁ ମୟୁରଭଞ୍ଜରେ ବହୁ କମ ଥିବାରୁ ମୟୁରଭଞ୍ଜ ଜିଲ୍ଲାର କୌଣସି ଠିକାଦାର ଟେଣ୍ଡରରେ ଅଂଶ ଗ୍ରହଣ କରିବେ ନାହିଁ ଏବଂ ମୟୁରଭଞ୍ଜ ଜିଲ୍ଲା ପରିସରରେ ହେବାକୁ ଥିବା କୌଣସି ଟେଣ୍ଡରରେ ବାହାର ଜିଲ୍ଲାର ଠିକାଦାର ଅଂଶ ଗ୍ରହଣ ନକରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଆଜିର ବୈଠକରେ ସଂଘର ସଦସ୍ୟ ଭବାନୀ ଶଙ୍କର ସାହୁ, ନନ୍ଦ କିଶୋର କର୍ଣ୍ଣାନୀ, ବ୍ରଜ ମୋହନ ବେହେରା, ସତ୍ୟ ସୁନ୍ଦର ପତି, ସଞ୍ଜୟ କୁମାର ପାତ୍ର, ସମର ପଟ୍ଟନାୟକ, ରଞ୍ଜିତ ସାହୁ, ସୀତାଂଶୁ ଜେନା, ଦେବାଶିଷ ମହାପାତ୍ର, ଗଣେଶ ପ୍ରସାଦ ଜେନା, ଉଦୟ ନାଥ ସାହୁ, ସନ୍ଦୀପ କୁମାର ବିଶୋଇ, ସଂଜୀବ ପରିଡା, ରବିନ୍ଦ୍ର ଦାସ, ସଂଜୟ ରାଉତ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

