ମାଲକାନଗିରି, ୩୦/୦୯ (ପାଇକପୁଅ)ଖଇରପୁଟ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା, ଗାଳିଗୁଲଜ କରିବା ଏବଂ ଟଙ୍କା ଦାବି କରିବା ଅଭିଯୋଗରେ ମାଲକାନଗିରି ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ମାଲକାନଗିରି ଥାନାରେ କେସ୍ ନମ୍ବର ୪୯୨/୨୬ରେ ତା. ୨୯.୦୮.୨୦୨୬ରେ ବିଏନ୍ଏସ୍ର ଧାରା ୩୧୦(୨)ରେ ମାମଲା ରୁଜୁ ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକର ଯନ୍ତ୍ରୀ କୈର ପୁର୍ତ୍ତିଙ୍କୁ ଅଭିଯୁକ୍ତମାନେ ଗତ ୨୭ ଅଗଷ୍ଟରେ ସୁଭାଷ ଛକ ନିକଟରେ ଅଟକାଇଥିଲେ। ସେମାନେ ଜେଇଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରି ୧ ଲକ୍ଷ ଟଙ୍କା ଦାବି କରିଥିଲେ। ସେହି ସମୟରେ ଫୋନ୍ପେ ଜରିଆରେ ତାଙ୍କଠାରୁ ୨ ହଜାର ଟଙ୍କା ଜବରଦସ୍ତ ନେବା ସହ ୫୦ ହଜାର ଟଙ୍କାର ଏକ ଚେକ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ଯନ୍ତ୍ରୀ ଶ୍ରୀ ପୂର୍ତ୍ତି ଙ୍କ ଠାରୁ ନେଇ ଯାଇଥିଲେ। ଏନେଇ ଯନ୍ତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଏସ୍ଆଇ ପ୍ରଭାତ ଗୌଡ଼ କରୁଥିବା ବେଳେ ତଦନ୍ତ ପରେ ପୁଲିସ ନୀଳକମ୍ଭେରୁ ଗ୍ରାମର ସୁନାଧର ଖରା ଓରଫ ପ୍ରେମ (୩୪), ମାଲକାନଗିରି ଧୋବାସାହିର ଶଙ୍କର ନାୟକ ଓରଫ କାର୍ତ୍ତିକ (୩୦), ତଳସାହିର ଆୟୁବ ଖାନ୍ (୩୦) ଏବଂ ଜେଲ୍ସାହିର ବିନୋଦ ଗଡ଼ବା (୨୨)ଙ୍କୁ ଗିରଫ କରିଛି।ସେମାନଙ୍କଠାରୁ ନଗଦ ୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ୪ ଅଭିଯୁକ୍ତଙ୍କୁ ମଙ୍ଗଳବାର ମାଲକାନଗିରି ଅଦାଲତରେ ହାଜର କରାଯାଇଥିବା ଥାନାଧିକାରୀ ଦେଵଦତ୍ତ ମଲ୍ଲିକ କହିଛନ୍ତି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ସୁନାଧର ଖରା ଓରଫ ପ୍ରେମଙ୍କ ବିରୋଧରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଏକାଧିକ ମାମଲା ଥିବା ଜଣାପଡ଼ିଛି।

