ମାଲକାନଗିରି, ୩୦/୦୯ (ପାଇକପୁଅ)ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ତାରଲାକୋଟା ପଞ୍ଚାୟତର ଏମଭି-୫୩ ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ରବି ରାୟଙ୍କ ଘର ପଛପଟ ବାଡ଼ିରେ ବଜ୍ରକାପ୍ତାଟି ବୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ବୁଧବାର ସକାଳୁ ରବିଙ୍କ ଘର ପଛପଟୁ ଏକାଧିକ କୁକୁରଙ୍କ ଭୋକିବା ଶବ୍ଦ ଶୁଣାଯାଇଥିଲା। କ’ଣ ଘଟିଛି ଜାଣିବା ପାଇଁ ରବି ବାଡ଼ିକୁ ଯାଇ ଦେଖିବା ବେଳେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିଥିଲେ। ଏହାପରେ ପରିବାର ପକ୍ଷରୁ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଖବର ପ୍ରଚାର ହେବା ପରେ ଏହାକୁ ଦେଖିବା ପାଇଁ ଗ୍ରାମରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ସୋମନାଥପୁର ସେକ୍ସନ ଫରେଷ୍ଟର ସମୀର ଜେନା, ଫରେଷ୍ଟର ସୁଧୀର କିଲାକା ଓ ଫରେଷ୍ଟ ଗାର୍ଡ ସୁଜାତା ବୈରାଗୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏମଭି-୫୩ ଗ୍ରାମ ନିକଟରେ ଜଙ୍ଗଲ ରହିଥିବାରୁ ବଜ୍ରକାପ୍ତାଟି ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ଏହାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ଉପଯୁକ୍ତ ସ୍ଥାନରେ ପୁନର୍ବାର ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବାଲିମେଳା ରେଞ୍ଜର ଲିସ୍ମିତା କଂହର ସୂଚନା ଦେଇଛନ୍ତି।

