ବାଲିଗୁଡ଼ା,୨୯/୦୯ (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବଜାରରୁ ଏକ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ଜଙ୍ଗଲରୁ ଛେଳି ପଲ ସହ ଗାଁ ଭିତରକୁ ଚାଲିଆସିଥିବା ଏହି ହରିଣ ଛୁଆକୁ ଦେଖି ଅଞ୍ଚଳବାସୀ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ଅନୁଯାୟୀ, ନିକଟସ୍ଥ ଜଙ୍ଗଲକୁ ଛେଳି ପଲ ଚରିବାକୁ ଯାଇଥିଲା। ଗତକାଲି ଛେଳି ପଲ ଫେରିବା ସମୟରେ ଏକ ହରିଣ ଛୁଆ ମଧ୍ୟ ସେମାନଙ୍କ ସହ ବେଲଘର ଗାଁକୁ ଚାଲିଆସିଥିଲା। ବଜାର ଅଞ୍ଚଳରେ ହରିଣ ଛୁଆଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ହେପାଜତରେ ରଖିଛନ୍ତି। ଏବେ ତା’ର ଯତ୍ନ ନିଆଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିଲେ ଏବଂ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ହରିଣ ଛୁଆଟିକୁ ପୁଣି ନିରାପଦ ଜଙ୍ଗଲ ପରିବେଶରେ ଛାଡ଼ି ଦିଆଯିବ ବୋଲି ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେର ସୂଚନା ଦେଇଛନ୍ତି।

