ବାରିପଦା, ୦୨/୦୯(ପାଇକପୁଅ) ହୋ ଭାଷାକୁ ଓଡ଼ିଶା ରାଜ୍ୟରେ ଦ୍ଵିତୀୟ ରାଜଭାଷାର ମାନ୍ୟତା ପ୍ରଦାନ ଏବଂ ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯିବା ଦାବି ନେଇ ‘ବୀର ବିର୍ସା ମୁଣ୍ଡା କମିଟି, ଜାମଦା’ ପକ୍ଷରୁ କମିଟିର ସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ୱରେ ଚାଲିଥିବା ଆମରଣ ଅନଶନ ବୁଧବାର ଅଷ୍ଟମ ଦିବସରେ ପହଞ୍ଚିଛି। ଏହି ଆମରଣ ଅନଶନକୁ ସମର୍ଥନ ଜଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି। ଧାରଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଶ୍ରୀ ମାରାଣ୍ଡି । ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଦୀର୍ଘ ୩୫୦କିମି ପଦଯାତ୍ରାରେ ପହଞ୍ଚି ୮ ଦିନ ଧରି ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତାଙ୍କ ନିକଟକୁ କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହୋ ଭାଷା ଆନ୍ଦୋଳନକାରୀମାନଙ୍କୁ ତୁରନ୍ତ ଆଲୋଚନା ପାଇଁ ଡାକନ୍ତୁ ନଚେତ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ ଶ୍ରୀ ମାରାଣ୍ଡି କହିଛନ୍ତି। ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯିବା ସକାଶେ କେନ୍ଦ୍ର ସରକାରଙ୍କୁ ତିନି ତିନି ଥର ଚିଠି ଲେଖିଥିବା ସତ୍ତ୍ୱେ ବିଜେପି ସରକାର ଉଦ୍ଦେଶ୍ୟମୂଳକ ଭାବେ ହୋ ଭାଷାକୁ ଅଣଦେଖା କରୁଛନ୍ତି । ତତସହିତ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ୪ ଥର ଏହି ପ୍ରସଙ୍ଗଟିକୁ ରାଜ୍ୟସଭାରେ ଉପସ୍ଥାପନ କରିଥିବା ସତ୍ତ୍ୱେ ସରକାର ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରୁ ନାହାନ୍ତି।
ସୂଚନା ଥାଉ କି, ହୋ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରାଯିବା ସହିତ ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯିବା ଦାବି ନେଇ ଏହି କମିଟି ଅଗଷ୍ଟ ମାସ ୧୬ ତାରିଖରୁ ମୟୂରଭଞ୍ଜ ଜିଲ୍ଲାର ତିରିଂଠାରୁ ପ୍ରାୟ ୩୫୦ କିଲୋ ମିଟର ଦୂରତା ବାଟ ଭୁବନେଶ୍ବର ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ଆସିଛନ୍ତି।
ଅଗଷ୍ଟ ମାସ ୨୬ ତାରିଖ ଠାରୁ ଆନ୍ଦୋଳନକାରୀମାନେ ଭୂବନେଶର ଗାନ୍ଧୀ ମାର୍ଗରେ ଆମରଣ ଅନଶନରେ ବସିଛନ୍ତି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ହୋ ଭାଷା ସଂକ୍ରାନ୍ତୀୟ ଦାବିପତ୍ର ପ୍ରଦାନ କରିବା ସହିତ ମୁଖ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଅଡ଼ି ବସିଛନ୍ତି।
ଏହି ଆନ୍ଦୋଳନରେ ଡଃ. ବିକ୍ରମ ବିରୁଲି, ଗାମାଏ ରୀମିଲ ସିଂ ଗୋଇପାଈ , ସ୍ୱର୍ଣ୍ଣଲତା ସିଂ, ନବୀନ ମୁଣ୍ଡୁରୀ, ଜଟିଆ ସାଉୟାଁ, ସଞ୍ଜୟ ହେମ୍ବ୍ରମ, କୃଷ୍ଣଚନ୍ଦ୍ର କାରଆ, ରାଜକୁମାର ପୂର୍ତ୍ତି , ରାମେଶ୍ବର କଣ୍ଡାଂକେଲ ପ୍ରମୁଖ ସାମିଲ ହୋଇଛନ୍ତି।

