ଗୋପ, ୦୧/୦୯ (ପାଇକପୁଅ) ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ରାମଚଣ୍ଡୀ ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ୱାଳଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ଫୋର୍ସ ସହ ଏ ଏସ୍ଆଇ ଜ୍ୟୋତ୍ସ୍ନାମୟୀ ସାହୁ, ଏ ଏସ୍ଆଇ ପ୍ରାଣକୃଷ୍ଣ ବେହେରା, ପ୍ରମୁଖ ସୋମବାର ଅପରାହ୍ନରେ ପାର୍ବଣକୁ ଦୃଷ୍ଟିରେ ରଖି ଫ୍ଲାଗମାର୍ଚ୍ଚ କରିଥିଲେ। ରାସ୍ତା ଉପରେ ଗହଳି ନ କରିବା ସହ ଦୋକାନ ସମ୍ମୁଖରେ ପାକିଂ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଥାନା ଅଧିକାରୀ କମିଟିଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ପୋଲିସର ଉପସ୍ଥିତି ଦୃଶ୍ୟମାନ ହେବା ସହ ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ଭରସା ବଢ଼ିବା ସହ ନିରାପତ୍ତାର ଭାବନା ଦୃଢ଼ ହୋଇଛି। ଆଗାମୀ ଦିନରେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର ଏଭଳି ପାଟ୍ରୋଲିଂ ଜାରି ରହିବ ବୋଲି ଥାନା ଅଧିକାରି ମମତା ବିଶ୍ଵାଳ ଏହି ସୂଚନା ଦେଇଛନ୍ତି।

