ବାରିପଦା, ୦୨/୦୯(ପାଇକପୁଅ)ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି।ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଜାତ ହୃଦରୋଗରେ ପୀଡ଼ିତ ଥିବା ନିରୀହ ଶିଶୁମାନଙ୍କ ଜୀବନ ବଞ୍ଚାଇବା ପାଇଁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଡିଇଆଇସି ପକ୍ଷରୁ ବାରିପଦା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ମେଗା ହୃଦରୋଗ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।ଏହି କ୍ୟାମ୍ପରେ ପ୍ରାୟ ୧୪୦ରୁ ଅଧିକ ଶିଶୁଙ୍କ ଯାଞ୍ଚ କରାଯାଇଛି।ଯେଉଁମାନଙ୍କ ଅପରେସନ ଆବଶ୍ୟକ ସେମାନଙ୍କୁ ସେମାନଙ୍କୁ ଚିହ୍ନଟ କରାଯାଇ ମାଗଣା ଅପରେସନ ସହ ଯିବା ଆସିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ।ଗତ ଏପ୍ରିଲ-୨୦୨୫ରୁ ଜୁଲାଇ -୨୦୨୬ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାରେ ସ୍ବତନ୍ତ୍ର କ୍ୟାମ୍ପ ଗୁଡିକରେ ୧୪୯ ଜଣ ହୃଦରୋଗ ଶିଶୁଙ୍କ ଚିହ୍ନଟ ହୋଇଥିଲା।ଏଥି ମଧ୍ୟରୁ ୧୪୦ ଜଣଙ୍କ ଅପରେସନ କାର୍ଯ୍ୟ ସାରିଛି।ଆଗାମୀ ଦିନରେ ଅବଶିଷ୍ଟ ୯ଜଣଙ୍କ ଅସ୍ତ୍ରୋପଚାର କରାଯିବ।ସେହିପରି ଜିଲ୍ଲାରେ ହୃଦରୋଗ ଶିଶୁ ଅଧିକ ଚିହ୍ନଟ ହେଉଥିବା କାରଣରୁ ଆଜି ପୁଣିଥରେ ଏକ କ୍ୟାମ୍ପ ଅନୁଷ୍ଠିତ ହେଉଥିବା ଜଣାପଡିଛି।ଏହି ଅବସରରେ ବାରିପଦା ସିଡିଏମଓ ଡାକ୍ତର ବିଶ୍ୱନାଥ ଦାସ ପ୍ରକାଶ କରିଛନ୍ତି ଯେ, ଏହି ପ୍ରକ୍ରିୟା ଜିଲ୍ଲାରେ ନିରନ୍ତର ଜାରି ରହିଛି।ପୂର୍ବରୁ ଯଶୀପୁର ତଥା ଅନ୍ୟାନ୍ୟ ବ୍ଲକରେ ସ୍କ୍ରିନିଂ କରାଯାଇଥିଲା।ଗତ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୨୩ ଜଣ ଶିଶୁଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।କୋଲକାତାର ନାରାୟଣ ହୃଦୟାଳୟ, ଟାଟା ମେଡିକାଲ, ହାୱଡ଼ା ତଥା ମୁମ୍ବାଇର ପ୍ରତିଷ୍ଠିତ ଅନୁଷ୍ଠାନ ସହିତ ଚୁକ୍ତି କରାଯାଇଛି। ଡିଇଆଇସିର ଶିଶୁରୋଗ ଚିକିତ୍ସକ ଡାକ୍ତର ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।ପୂର୍ବରୁ ଅସ୍ତ୍ରୋପଚାର ପରେ ସୁସ୍ଥ ଜୀବନ ବିତାଉଥିବା ପିଲାମାନଙ୍କୁ ଦେଖି ଅନ୍ୟ ଅଭିଭାବକ ମାନେ ଆଗେଇ ଆସୁଛନ୍ତି।ଗ୍ରାଉଣ୍ଡ ଲେଭେଲରେ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଟିମ ଘରଘର ଏବଂ ବିଦ୍ୟାଳୟ ବୁଲି ସନ୍ଦିଗ୍ଧ ଶିଶୁଙ୍କୁ ଚିହ୍ନଟ କରି କ୍ୟାମ୍ପକୁ ଆଣୁଛନ୍ତି। କୋଲକାତା ସ୍ଥିତ ଆର.ଏନ. ଟାଗୋର ହସ୍ପିଟାଲର ଶିଶୁ ହୃଦରୋଗ ବିଶେଷଜ୍ଞ ଡାକ୍ତର ରୁଷିକ ରାୟଙ୍କ କହିବା ଅନୁଯାୟୀ ,ଦେଶରେ ପ୍ରତିବର୍ଷ ପ୍ରାୟ ୨.୫ ଲକ୍ଷ ଶିଶୁ ଜନ୍ମଗତ ହୃଦରୋଗ ସହ ଜନ୍ମ ହୁଅନ୍ତି।ମୟୂରଭଞ୍ଜରେ ସ୍କ୍ରିନିଂ କାର୍ଯ୍ୟକ୍ରମ ସକ୍ରିୟ ଭାବେ ହେଉଥିବାରୁ ଏହି ରୋଗୀ ଶୀଘ୍ର ଚିହ୍ନଟ ହୋଇପାରୁଛନ୍ତି। ଯାଞ୍ଚ ପରେ ରୋଗର ଗୁରୁତରତା ଅନୁଯାୟୀ ଶିଶୁମାନଙ୍କୁ ଉପଯୁକ୍ତ ସେଣ୍ଟରକୁ ପଠାଇ ତୁରନ୍ତ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଉଛି।ଶିବିରରେ ଯୋଗଦେଇଥିବା ଖଡିଶୋଳ ଗାଁର ରଞ୍ଜିତା ସିଂହ ଏବଂ ଟିକରପଡ଼ା ଗାଁ ର ସୁମିତ୍ରା ମାରାଣ୍ଡି ପ୍ରମୁଖ ମା ମାନେ ନିଜ ନିଜ କଅଁଳ ଶିଶୁଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ ପାଇବା ସହ ସରକାରଙ୍କ ଏହି ମାଗଣା ଚିକିତ୍ସା ସୁବିଧା ଯୋଗୁଁ ନିଜ ପିଲାର ଭବିଷ୍ୟତ ସୁରକ୍ଷିତ ହେବ ବୋଲି ସେମାନେ ଆଶା ପ୍ରକାଶ କରିବା ସହିତ ଖୁସି ବ୍ୟକ୍ତ କରିଛନ୍ତି।

