ମାଲକାନଗିରି,o୧/୯ (ପାଇକପୁଅ)ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ଆର୍ଥିକ ପ୍ରତିବନ୍ଧକ ବାଧା ହୋଇପାରେ ନାହିଁ। ଏହାକୁ ପ୍ରମାଣ କରିଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ପିଲାକୁସୁମି ଗ୍ରାମର ରାଜେନ୍ଦ୍ର ହନ୍ତାଳ। ଚାଷୀ ମାଣିକ ହନ୍ତାଳଙ୍କ ପୁଅ ରାଜେନ୍ଦ୍ର ନିଟ୍ ପରୀକ୍ଷାରେ ସର୍ଵ ଭାରତୀୟ ସ୍ତରରେ ୧୩୨୪୦ ରେଙ୍କ ରଖି ସଫଳତା ହାସଲ କରି ଡାକ୍ତର ହେବାର ପଥ ପ୍ରଶସ୍ତ କରିଛନ୍ତି। ତାଙ୍କ ସଫଳତାରେ ଗ୍ରାମବାସୀଙ୍କ ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ରାଜେନ୍ଦ୍ରଙ୍କ ବାପା ଜଣେ ଚାଷୀ। ଅଭାବ ଅନଟନ ମଧ୍ୟରେ ମଧ୍ୟ ପୁଅର ପାଠପଢ଼ା ପାଇଁ ସେ କଠିନ ପରିଶ୍ରମ କରିଥିଲେ। ପିଲାଟି ଦିନରୁ ମେଧାବୀ ଥିବା ରାଜେନ୍ଦ୍ର ପ୍ରାଥମିକ ଶିକ୍ଷା ପିଲାକୁସୁମି ବିଦ୍ୟାଳୟରେ ଶେଷ କରିବା ପରେ ମାଲକାନଗିରି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢ଼ିଥିଲେ। ପରେ କୋରାପୁଟରେ ଯୁକ୍ତ ୨ ଶିକ୍ଷା ଶେଷ କରି ଉଚ୍ଚଶିକ୍ଷା ପାଇଁ ଭୋପାଳରେ ଅଧ୍ୟୟନ କରିଥିଲେ। ନିଟ୍ରେ ସଫଳତା ପରେ ସୋମନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ରାଜେନ୍ଦ୍ରଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ତାଙ୍କ ବିଦ୍ୟାଳୟ ଶିକ୍ଷକ ଆନନ୍ଦ ମଣ୍ଡଳ, ସରପଞ୍ଚ ମଞ୍ଜୁଳା ସୀସା, ସମିତି ସଭ୍ୟ ଲଇଚନ ସୀସାଙ୍କ ସମେତ ଗଣେଶ ସୀସା, ସଞ୍ଜିତ ଦାସ ଓ ଭୀମ ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ।

