ଯୋଡ଼ା /ବଡ଼ବିଲ, ୦୧/୦୮(ପାଇକପୁଅ) : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ବିଲ ତହସିଲ ଅନ୍ତର୍ଗତ ଜାତୀୟ ରାଜପଥ-୫୨୦ର ଭଦ୍ରାସାହି ଛକ ରେ ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଅନ୍ଧକାରରେ ରହିଛି। ଛକରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇଥିବାରୁ ସନ୍ଧ୍ୟା ପରେ ଏହି ବ୍ୟସ୍ତ ଅଞ୍ଚଳଟି ଅନ୍ଧକାରମୟ ହୋଇପଡ଼ୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।ଭଦ୍ରାସାହି ଛକ ଦେଇ ଦିନରାତି ବହୁ ସଂଖ୍ୟାରେ ଭାରୀଯାନ, ଯାତ୍ରୀବାହୀ ଗାଡ଼ି ଓ ଦୁଇଚକିଆ ଯାନ ଚଳାଚଳ କରିଥାଏ। ଏଭଳି ବ୍ୟସ୍ତ ଛକରେ ଦୀର୍ଘଦିନ ଧରି ଆଲୋକ ବ୍ୟବସ୍ଥା ବନ୍ଦ ରହିବା ଯୋଗୁଁ ରାତିରେ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ୁଛନ୍ତି। ଏଥିସହ ଅନ୍ଧକାରର ସୁଯୋଗ ନେଇ ଚୋରି, ଲୁଟ୍ କିମ୍ବା ଡକାୟତି ଭଳି ଅପରାଧ ଘଟିବାର ଆଶଙ୍କା ମଧ୍ୟ ରହିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଷ୍ଟ୍ରିଟ୍ ଲାଇଟ୍ ଅଚଳ ହେବାକୁ ୨୦ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି କରାଯାଇନାହିଁ। ଜାତୀୟ ରାଜପଥର ଏହି ଗୁରୁତ୍ୱପୂର୍ଣ୍ଣ ଛକର ଆଲୋକ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଦାୟିତ୍ୱରେ କିଏ ରହିଛନ୍ତି ଏବଂ ଏତେଦିନ ଧରି ଲାଇଟ୍ ଅଚଳ ଥିବା ସତ୍ତ୍ୱେ ମରାମତି କାହିଁକି ହୋଇନାହିଁ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ଲୋକଙ୍କ ଦାବି, ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଅଚଳ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକର ଯାଞ୍ଚ କରନ୍ତୁ। ଆଲୋକ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାଦାର କିମ୍ବା ସଂସ୍ଥାର ଅବହେଳା ଥିଲେ ନିୟମ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯାଉ। ଏଥିସହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିରୀକ୍ଷଣରେ ଅବହେଳା ଥିଲେ ମଧ୍ୟ ତାହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ଦାବି ହୋଇଛି।
ଭଦ୍ରାସାହି ଛକରେ ଯାତାୟାତ ସୁରକ୍ଷା ସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ମରାମତି କରାଯିବା ସହ ନିୟମିତ ରକ୍ଷଣାବେକ୍ଷଣ ଓ ନିରୀକ୍ଷଣ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

