ମାଲକାନଗିରି,୧୦/୦୮ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ବାଲିମେଳା ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗ୍ରାମରେ ଆଜି ଏକ ବିଶାଳ କୁମ୍ଭୀରକୁ ନେଇ ଆତଙ୍କ ଦେଖା ଦେଇଛି। ଗ୍ରାମର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳେ ମହାନନ୍ଦ ମଣ୍ଡଳ ନିଜ ପୋଖରୀ ନିକଟକୁ ଯାଇଥିବା ସମୟରେ ଏକ ବଡ଼ କୁମ୍ଭୀରକୁ ଦେଖିଥିଲେ। ମହାନନ୍ଦଙ୍କୁ ଦେଖି କୁମ୍ଭୀରଟି ତୁରନ୍ତ ପୋଖରୀ ଭିତରକୁ ପଶିଯାଇଥିଲା। ଘଟଣା ପ୍ରଚାର ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ ପୋଖରୀ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ମହାନନ୍ଦଙ୍କ ଭାଇ ନିତ୍ୟାନନ୍ଦ ମଣ୍ଡଳ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ମାଲକାନଗିରିରୁ ବନ ବିଭାଗର ରାପିଡ୍ ରେସ୍ପୋନ୍ସ ଟିମ୍ ଗ୍ରାମରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଟିମ୍ ପକ୍ଷରୁ କୁମ୍ଭୀରକୁ ଧରିବା ପାଇଁ ଜାଲ ପକାଯାଇଥିଲେ ମଧ୍ୟ କୁମ୍ଭୀରଟି ବଡ଼ ହୋଇଥିବାରୁ ବିଭାଗ ନିକଟରେ ଥିବା ଜାଲ ଏଥିପାଇଁ ଉପଯୁକ୍ତ ହୋଇନଥିଲା। ଏହାପରେ ଅଧିକ କ୍ଷମତାସମ୍ପନ୍ନ ଜାଲ ଆଣି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ରାପିଡ୍ ରେସ୍ପୋନ୍ସ ଟିମ୍ ମୁଖ୍ୟ ସମୀର ଜେନା, କୈଳାଶ ମହାରଣାଙ୍କ ସମେତ ଟିମ୍ ସଦସ୍ୟମାନେ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଖବର ପାଇ ସ୍ଥାନୀୟ ଫୋରେଷ୍ଟ ଗାର୍ଡ ଜସ୍ମୀନ ସ୍ୱାଇଁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହାନନ୍ଦ ମଣ୍ଡଳଙ୍କ କହିବା ଅନୁଯାୟୀ ଏହି କୁମ୍ଭୀରଟି ତାଙ୍କ ପୋଖରୀରେ ଥିବା ୯୦ରୁ ଊର୍ଦ୍ଧ୍ୱ ହଂସ ଖାଇଦେଇଥିବା ବେଳେ ପୋଖରୀରେ ଛଡ଼ାଯାଇଥିବା ପ୍ରାୟ ୫ କ୍ୱିଣ୍ଟାଲ ମାଛ ମଧ୍ୟରୁ ବହୁ ମାଛ ଖାଇଦେଇଛି। ଏନେଇ ରାପିଡ୍ ରେସ୍ପୋନ୍ସ ଟିମ୍ ମୁଖ୍ୟ ସମୀର ଜେନାଙ୍କୁ ପଚାରିବାରୁ ପୋଖରୀରେ କୁମ୍ଭୀର ରହିଥିବା ଘଟଣାକୁ ସେ ସ୍ୱୀକାର କରିଥିଲେ। ବିଭାଗ ନିକଟରେ ଥିବା ଜାଲରେ ଏହି ବଡ଼ କୁମ୍ଭୀରକୁ ଉଦ୍ଧାର କରିବା ସମ୍ଭବ ନୁହେଁ। ତେଣୁ ଆବଶ୍ୟକ ଜାଲ ବ୍ୟବସ୍ଥା କରି କୁମ୍ଭୀରକୁ ଉଦ୍ଧାର କରାଯିବ ବୋଲି ସେ କହିଥିଲେ। ସେହିପରି ବାଲିମେଳା ରେଞ୍ଜର ଲିସ୍ମିତା କଂହରଙ୍କୁ ପଚାରିବାରୁ ରାପିଡ୍ ରେସ୍ପୋନ୍ସ ଟିମ୍ ପକ୍ଷରୁ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ତେବେ ଏହି ପୋଖରୀ ନିକଟ ଦେଇ ଏକ ବଡ଼ ନାଳ ଯାଇଛି ଯାହା ନିକଟସ୍ଥ ନଦୀରେ ମିଶିଛି। ତେଣୁ ନଦୀରୁ ହିଁ ଖାଦ୍ୟ ଅନ୍ୱେଷଣରେ କୁମ୍ଭୀର ଟି ଏହି ପୋଖରୀ ମଧ୍ୟକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ପୋଖରୀ ନିକଟକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି।

