ବାରିପଦା, ୦୮/୦୮(ବାରିପଦା)ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସାଉଥ ଡିଭିଜନ ଅଧୀନ ୟୂବିକେ ରେଞ୍ଜରେ ପ୍ରାୟ ୫ ବର୍ଷ ବୟସର ଏକ ମାଈ କଳାବାଘୁଣୀ (ମେଲାନିଷ୍ଟିକ ଟାଇଗର)ର ମୃତଦେହ ଉଦ୍ଧାର ହୋଇଛି. ସୂଚନା ମୁତାବକ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ଜଟଣୀ କ୍ୟାମ୍ପ ନିକଟରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ମାନେ ମୃତ ବାଘୁଣୀକୁ ଠାବ କରିଥିଲେ। ଘଟଣା ସ୍ଥଳକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଫିଲ୍ଡ ଡାଇରେକ୍ଟରଙ୍କ ସମେତ ବନ ବିଭାଗର ଅଧିକାରୀ ମାନେ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଅଗଷ୍ଟ ୭ ତାରିଖରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ନିର୍ଦ୍ଧାରିତ ନିୟମ ଅନୁସାରେ ବିଶେଷଜ୍ଞ ଦଳ ଦ୍ୱାରା ବାଘର ଶବ ବ୍ୟବଚ୍ଛେଦ କରାଯାଇଥିଲା।ପ୍ରାଥମିକ ଯାଞ୍ଚ ସମୟରେ ବାଘର ଶରୀରରେ କୌଣସି ଆଘାତ ବା କ୍ଷତ ଚିହ୍ନ କିମ୍ବା ଅନ୍ୟ କୌଣସି ସ୍ପଷ୍ଟ କାରଣ ମିଳିନଥିଲା।ବିଭିନ୍ନ ଜୈବିକ, ବିଷତାତ୍ତ୍ୱିକ ଓ ପାଥୋଲୋଜିକାଲ ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ସେଣ୍ଟର ଫର ୱାଇଲଡ ଲାଇଫ ହେଲଥ (ସିଡବ୍ଲ୍ୟୁଏଚ), ଓୟୁଏଟି କୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ମିଳିବା ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଶବ ବ୍ୟବଚ୍ଛେଦ ପରେ ଫିଲ୍ଡ ଡାଇରେକ୍ଟର ଓ ବନ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ବାଘର ମୃତଦେହକୁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସାରେ ଦାହ କରାଯାଇଥିବା ଆରସିସିଏଫ ତଥା ଶିମିଳିପାଳ ବ୍ୟାଘ୍ର ସଂଗ୍ରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଯୋଗିନେନି ସୂଚନା ଦେଇଛନ୍ତି।

