ବାରିପଦା ୦୭/୦୮(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଅନୁମୋଦିତ ପ୍ରକଳ୍ପ ଚୟନକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କ ଦ୍ବାରା ଗ୍ରାମସଭା ମାଧ୍ୟମରେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।ଏହି ବିଷୟକୁ ନେଇ ଖୁଣ୍ଟା ବ୍ଲକ ଚେୟାରମ୍ୟାନ ସୁଧନ୍ୟ ନାୟକ, ସମିତି ସଭ୍ୟ ସଂଘ ସଭାପତି ସୁନୀଲ କୁମାର ଟୁଡୁ ଓ ସରପଞ୍ଚ ସଂଘ ସଭାପତି ନନ୍ଦକିଶୋର ହାଁସଦାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁସାରେ, ବିଜିବିଓ ଯୋଜନା ନିୟମାବଳୀ ଅନୁଯାୟୀ ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମସଭା ଜରିଆରେ ମନ୍ଦିର, ଶ୍ମଶାନଘାଟ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପ ପ୍ରସ୍ତାବ ବ୍ଲକ ପକ୍ଷରୁ ଜିଲ୍ଲା ପରିଷଦକୁ ପଠାଯାଇଥିଲା।କିନ୍ତୁ ନିକଟରେ ଅନୁମୋଦିତ ହୋଇ ଆସିଥିବା ତାଲିକାରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦ୍ବାରା ଦିଆଯାଇଥିବା ପ୍ରକଳ୍ପ ଗୁଡ଼ିକୁ ବାଦ ଦିଆଯାଇ କେବଳ ଅନ୍ୟ ପ୍ରକଳ୍ପ ଗୁଡ଼ିକୁ ସାମିଲ କରାଯାଇଛି।ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି।ଆସନ୍ତା ୭ ଦିନ ମଧ୍ୟରେ ଏହା ଉପରେ ପଦକ୍ଷେପ ଗ୍ରହଣ କରାନଗଲେ, ଗ୍ରାମାଞ୍ଚଳରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଅଭିଯୋଗକାରୀ ମାନେ ଚେତାବନୀ ଦେଇଛନ୍ତି।

