ଭୁବନେଶ୍ୱର, ୦୫/୦୮(ପାଇକପୁଅ)ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ଶ୍ରାଦ୍ଧବାର୍ଷିକ ପାଳିତ ହୋଇଥିଲା । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦ୍ଘାଟନ କରିଥିଲେ । ରକ୍ତଦାନ ଶିବିରପରେ କଂଗ୍ରେସ ଭବନ ପ୍ରାଙ୍ଗଣରେ ପଂକ୍ତି ଭୋଜନର ଆୟୋଜନ କରାଯାଇଥିଲା । ଯେଉଁ ପଂକ୍ତି ଭୋଜନରେ ଗରିବ ଲୋକମାନଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା ।
ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ କଂଗ୍ରେସ ଦଳ ପାଇଁ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନା ଜଣେ ସମ୍ଭାବନାମୟ ଏବଂ ପ୍ରଭାବଶାଳୀ ଯୁବ ନେତା ଥିଲେ । ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏବଂ ଏଆଇସିସି ସଦସ୍ୟ ଭାବରେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ । ଭଦ୍ରକ ଲୋକସଭା କ୍ଷେତ୍ରରେ କଂଗ୍ରେସ ସାଂସଦ ଭାବେ ପ୍ରତିଦ୍ୱନ୍ଦିତା କରି ଏକ ଉତ୍ସାହଜନକ ଲଢ଼େଇ କରିପାରିଥିଲେ । ବିଜେବି କଲେଜ, ଉତ୍କଳ ୟୁନିଭରସିଟିରେ ଅଧ୍ୟୟନ ସମୟରେ ସେ ଜଣେ ଆଦୃତ ଛାତ୍ରନେତା ଭାବରେ ରାଜ୍ୟରେ ସୁପରିଚିତ ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟରେ ଛାତ୍ର କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବାପାଇଁ ସେ ସବୁବେଳେ ଉଦ୍ୟମ କରୁଥିଲେ । ଏପରିକି ବିଭିନ୍ନ ଜିଲ୍ଲାରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଂଗଠନ ସହିତ ସେ ସିଧାସଳଖ ସମ୍ପର୍କ ରଖି ସଂଗଠନକୁ ମଜବୁତ କରିବାପାଇଁ ପରାମର୍ଶ ଦେଉଥିଲେ । ସେ ଜଣେ ଅତି ଭଦ୍ର ଓ ମାର୍ଜିତ ବ୍ୟବହାର ସମ୍ପନ୍ନ ବ୍ୟକ୍ତିଥିଲେ । ତାଙ୍କର ବହୁ ଅନୁଗାମୀ ଆଜି ଛାତ୍ର ଓ ଯୁବ କଂଗ୍ରେସରେ ରାଜ୍ୟରେ ନେତୃତ୍ୱ ନେଉଛନ୍ତି । ବ୍ୟକ୍ତିଗତ ଭାବରେ ସେ ମୋର ଅତି ପ୍ରିୟତମ ଥିଲେ । ଛୋଟପିଲା ବେଳୁ ମୋ ସହିତ ତାଙ୍କର ସମ୍ପର୍କ ଥିଲା । ମୋତେ ସେ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ସଂଗଠନ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଶଂସନୀୟ ଥିଲା କଂଗ୍ରେସ ଦଳର ବିଚାରଧାରା ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ସେ ଅତୁଟ ବିଶ୍ୱାସ ରଖୁଥିଲେ । ଦଳୀୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସେ ଥିଲେ ଓଡ଼ିଶାର ପ୍ରଥମ ଯୁବ କଂଗ୍ରେସ ସଭାପତି । ସେ ଆମ ନିକଟରେ ଚିର ସ୍ମରଣୀୟ ହୋଇରହିବେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ତାରା ପ୍ରସାଦ ବାହିନୀପତି, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅଶୋକ ଦାସ, ଦେବାଶିଷ ପଟ୍ଟନାୟକ, ସମିର ରାଉତରାୟ, ୟାସିର ନୱାଜ, ମିନାକ୍ଷୀ ବାହିନୀପତି, ପ୍ରକାଶ ଜେନା, ମହମ୍ମଦ ଇମଦାଦ, ମାନସ ଆଚାର୍ଯ୍ୟ, ପ୍ରଭାସକର ମହାପାତ୍ର, ମନୋଜ ରାଉତ, ମନୋଜ ଜେନା, ଅଜୟ ସାହୁ, ଅଭିଲାଷ ମାଣିଆ, ସ୍ୱାଗତ କର, ମିହିର ଆଚାର୍ଯ୍ୟ, ତୁଷାରକାନ୍ତି ତପସ୍ୱୀ, ଲକ୍ଷ୍ମୀପ୍ରିୟ ନାୟକ, ଲିପିକା ପାତ୍ର, କାର୍ତ୍ତିକେଶ୍ୱର କାଣ୍ଡି, ବଳରାମ ନନ୍ଦ, ଶଂକୁନା କହଁର, ମହମ୍ମଦ ଗୁଲଫାମ, ନିଆଜୁଲ ଇସଲାମ, ବଟକୃଷ୍ଣ ରାଉତରାୟ, ସଂଦୀପ ରାଉତରାୟ, ଅମରେଶ ପରିଡ଼ା, ଗୋପନ ମାର୍ଥା, ବିରଞ୍ôଚ ବାରିକ, ଜ୍ୟୋତି ଆଚାର୍ଯ୍ୟ, ସୁଭାଷ ପ୍ରଧାନ, ପ୍ରତାପ ପ୍ରଧାନ, ପବିତ୍ର ସେଠୀ, ଜଗଦିଶ ଗଜେନ୍ଦ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

