ବାରିପଦା, ୦୫/୦୮(ପାଇକପୁଅ)ଓଡିଶା ସ୍କୁଲ କଲେଜ ସମନ୍ୱୟ ସମିତି ଆନୁକୂଲ୍ୟରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରା ଯାଇଛି। କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ସରକାର କେବଳ ଶିକ୍ଷକ ନୁଁହେଁ ଅଗଣିତ କୋମଳମତି ଛାତ୍ର ଛାତ୍ରୀ, ଅଭିଭାବକ ଓ ଅକ୍ଲାନ୍ତ ପରିଶ୍ରମ କରି, ଜମିଜାଗା ଦେଇ ଶିକ୍ଷାନୁଷ୍ଠାନ ଗଢ଼ିଥିବା ସରଳ ଗ୍ରାମବାସୀ ମାନଙ୍କୁ ଠକି ଚାଲିଛନ୍ତି। ଏଣୁ ସରକାରଙ୍କ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରତି ଥିବା ବୈମାତୃକ ମୋନଭାବ ପ୍ରତିବାଦରେ ଦୀର୍ଘାମିୟାଦି ଆନ୍ଦୋଳନ ଆରମ୍ଭ କରିଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ସାରା ରାଜ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ଗଣ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସମ୍ପୃକ୍ତ ବିଭାଗ ର ସଚିବ ମାନଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଉଥିବା ଅବସରରେ ଆଜି ବାରିପଦା ବ୍ଲକ ସଭାପତି ସୁକୁମାର ବେହେରା ଓ ସମ୍ପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ବ୍ଲକ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।ମୁଖ୍ୟ ଦାବି ଗୁଡିକ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟ, ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ଏହି ଅନୁଷ୍ଠାନରୁ ଶୂନ୍ୟହସ୍ତରେ ଅବସର ନେଉଥିବା କର୍ମଚାରୀ ମାନଙ୍କୁ ଅବସର କାଳୀନ ପେନଶନ ପ୍ରଦାନ।ଏହି ଅନୁଷ୍ଠାନ ମାନଙ୍କରେ ଖାଲି ପଡ଼ିଥିବା ପଦବୀ ପୂରଣ ସହିତ ଅବସର ବୟସ ସୀମା ୬୦ ରୁ ୬୨ କୁ ବୃଦ୍ଧି, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇ ୬ଟି ନୋସନାଲ ଇନ୍କ୍ରିମେଣ୍ଟରୁ ବଂଚିତ ଶିକ୍ଷକ କର୍ମଚାରୀଙ୍କୁ ଇନ୍କ୍ରିମେଣ୍ଟ ପ୍ରଦାନ ପରି ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

