ବାରିପଦା,୨୫/୦୭(ପାଇକପୁଅ)ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାର ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଉପ-ସଚିବ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।ପ୍ରାରମ୍ଭରେ ଡ଼. ସାହୁ ୩୦-କରଞ୍ଜିଆ, ୨୬-ଯଶୀପୁର ଏବଂ ୨୭-ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଶୁଣାଣି କେନ୍ଦ୍ର ପରିଦର୍ଶନ କରିଥିଲେ. ସେଠାରେ ସଂପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଏବଂ ବୁଥ ସ୍ତରୀୟ ସୁପରଭାଇଜର ମାନଙ୍କ ସହ ଆଲୋଚନା କରି ଶୁଣାଣି ପ୍ରକ୍ରିୟା ଓ କ୍ଷେତ୍ର ସ୍ତରରେ ଚାଲିଥିବା ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ,ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଇଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ ତଥା ବାଙ୍ଗିରିପୋଷି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ତଥା ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦୁଃଖବନ୍ଧୁ ନାୟକ, ଉପଜିଲ୍ଲାପାଳ କରଞ୍ଜିଆ ତଥା ଯଶିପୁର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଡ଼. ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ଉପ-ଜିଲ୍ଲାପାଳ ବାରିପଦା ତଥା ମୋରଡା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ରାଖାଲ ଚନ୍ଦ୍ର ପରିଡ଼ା ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଆଭାସୀ ଯୋଗେ ବୈଠକରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ପୋଷ୍ଟ-ଡ୍ରାଫ୍ଟ ପର୍ଯ୍ୟାୟରେ ନୋଟିସ ପ୍ରସ୍ତୁତି, ନୋଟିସ ବିତରଣ, ଅନମ୍ୟାପ ଭୋଟର ମାନଙ୍କ ଶୁଣାଣି, ଚୂଡାନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ମାମଲା ଗୁଡ଼ିକର ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା. ସମୀକ୍ଷା ଅବସରରେ ଡ଼. ସାହୁ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ ନପଡ଼ନ୍ତି, ସେଥିପ୍ରତି ବିଶେଷ ଗୁରୁତ୍ୱାରୋପ କରିଥିଲେ।

