ବାରିପଦା, ୨୫/୦୭(ପାଇକପୁଅ)ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ତିନି ଠାକୁର ସୁନାବେଶରେ ମାଉସୀ ମା ମନ୍ଦିରର ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଏହାକୁ ଦ୍ୱାରିକା ବେଶ ବା ରାଜା ରାଜେଶ୍ୱର ବେଶ ମଧ୍ୟ କୁହାଯାଇଥାଏ।ରାଜା ରାଜୁଡା ଅମଳରୁ ମହାପ୍ରଭୁଙ୍କର ରହିଥିବା ସ୍ୱର୍ଣ୍ଣ ଅଳଙ୍କାରରେ ସେବାୟତ ମାନେ ସକାଳ ନିତି ପରେ ତିନିଠାକୁରଙ୍କୁ ସଜେଇ ଦେବା ପରେ ଭକ୍ତମାନେ ଧାଡିରେ ଯାଇ ମହାପ୍ରଭୁଙ୍କର ଏହି ଦେବ ଦୁର୍ଲଭ ବେଶ ଦର୍ଶନ କରିଥିଲେ।ସେହିପରି ବେଶ ଦର୍ଶନ ପରେ ଅଁଳାଭେଟି ନିତି,ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଅପରାହ୍ନରେ ଠାକୁର ମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯାଇଥିଲା। ତେବେ ବାହୁଡା ଯାତ୍ରା ପାଇଁ ପ୍ରଥମେ ରଥ ଗୁଡିକର ଦକ୍ଷିଣ ମୋଡ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ରଥକୁ ନବୁଲାଇ କେବଳ ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ରଥ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇ ଥିଲା।ଆଜି ପହଣ୍ଡି ପରେ ଠାକୁର ମାନେ ଯିଏ ଯାହାର ରଥରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।ଭକ୍ତ ମାନେ ବିଳମ୍ବିତ ରାତିପର୍ଯ୍ୟନ୍ତ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜା କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଶନିବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ।ପୁଣି ରବିବାର ଅନ୍ତିମ ଦିନର ବାହୁଡା଼ ଯାତ୍ରାରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣାଯାଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବ ବୋଲି ଜଣାଯାଇଛି।ତେବେ ରଥଯାତ୍ରା ପାଇଁ ରଥ ଦାଣ୍ଡରେ ଭକ୍ତଙ୍କ ସମାଗମ଼ ଲାଗିରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

