ବାରିପଦା, ୨୫/୦୭(ପାଇକପୁଅ) ଆଗାମୀ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାଧୀନତା ଦିବସ ପାଳନ ସମ୍ପର୍କିତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଓ ପ୍ରସ୍ତୁତି ଉପରେ ବିସ୍ତୃତ ସମୀକ୍ଷା କରାଯିବା ସହ ସମସ୍ତ ବିଭାଗକୁ ନିର୍ଦ୍ଧାରିତ ଦାୟିତ୍ୱ ସଫଳତାର ସହ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ରିଜର୍ଭ ପୋଲିସ ପ୍ୟାରେଡ ପଡ଼ିଆରେ ଅନୁଷ୍ଠିତ ହେବ। ସକାଳ ୯.୧୫ ଘଟିକାରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ।
ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉତ୍କଳ ବାଳାଶ୍ରମ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ବିଭିନ୍ନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗରେ ଫଳ ବଣ୍ଟନ କରାଯିବ। ସେହିପରି ସନ୍ଧ୍ୟାରେ ଶହୀଦ ସ୍ମୃତି ଭବନ ପରିସରରେ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିସାନ, ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡା. ବିଜୟ କୁମାର ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ବାରିପଦାର ପ୍ରକଳ୍ପ ପ୍ରଶାସକ ପ୍ରଣୟ ରଞ୍ଜନ ବେହେରା, ରିଜର୍ଭ ଇନ୍ସପେକ୍ଟର ଆଲୋକ କାନୁନଗୋ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ମହାନ୍ତଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନର ପ୍ରତିନିଧି, ଅଗ୍ନିଶମ ଅଧିକାରୀ, ଶିକ୍ଷାନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ବୈଠକ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

