ବାରିପଦା, ୧୭/୦୭(ପାଇକପୁଅ)ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରାର ଆଜି ପ୍ରଥମ ଦିନରେ ପ୍ରଥମେ ବଳଭଦ୍ରଙ୍କ ୧୪ ଚକ ବିଶିଷ୍ଟ ତାଳଧ୍ଵଜ ରଥକୁ ହଜାର ହଜାର ଭକ୍ତ ଶ୍ରୀ ମନ୍ଦିର ନିକଟ ରଥ ଖଳାରୁ ଟାଣି ନେଇ ରାଧା ମୋହନ ମନ୍ଦିର ଠାରେ ଥିବା ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚାଇ ଥିଲେ। ପରେ ପରେ ଦେବି ସୁଭଦ୍ରାଙ୍କର ୧୨ ଚକ ବିଶିଷ୍ଟ ଦେବଦଳନ ରଥକୁ ପରମ୍ପରା ମୁତାବକ କେବଳ ମହିଳା ଭକ୍ତ ମାନେ ଟାଣିନେଇ ଅଧାବାଟରେ ଅର୍ଥାତ ବାରିପଦା ଟାଉନ ଥାନା ସମ୍ମୁଖରେ ପହଞ୍ଚାଇଥିଲେ।ଆଜି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୟୁରଭଞ୍ଜ ଜିଲାପାଳ ହେମକାନ୍ତ ସୟ, ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରଥ ଟାଣିଥିଲେ।
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ପରମ୍ପରା ମୁତାବକ ଦେବି ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ମାନେ ଟାଣିଥାନ୍ତି।ଏହି ପରମ୍ପରା ୧୯୭୫ ମସିହାରୁ ପ୍ରଚଳିତ ଅଛି। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଥିଲେ।ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ସଶକ୍ତ କରାଯିବା ପାଇଁ ବାରିପଦା ମାଟିରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଅଦ୍ୟାବଧି ଚାଲୁ ରହିଛି. ତେବେ ରଥଟଣା ବେଳେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ରଥ ସମ୍ମୁଖରେ ଅନେକ ଭକ୍ତ ଖୋଳ କୀର୍ତ୍ତନ, ଶଙ୍ଖ ହୁଳହୁଳି, ଓଡିଶୀ ନୃତ୍ୟ ସହିତ ଆଦିବାସୀ ନୃତ୍ୟ, ଯୁବ ଗୋଷ୍ଠୀଙ୍କ ପିରାମିଡ଼ ଖେଳ ଭଳି କାର୍ଯ୍ୟକ୍ରମ ମାନ ଦେଖିବାକୁ ମିଳିଥିଲା। ରଥ ଉପରେ ଘଣ୍ଟୁଆଙ୍କ ଘଣ୍ଟ ଶବ୍ଦ ସହ ପଣ୍ଡିତ ଭାଗବତ ପଣ୍ଡାଙ୍କ ଧରାବିବରଣୀ ଏବଂ ଜୟ ଜଗନ୍ନାଥ ତାଳରେ ରଥ ଆଗକୁ ବଢ଼ି ଚାଲିଥିଲା।ସେହିପରି ଜଗନ୍ନାଥ ମନ୍ଦିର, ଏମପିସି କଲେଜ ଏବଂ ମାଉସୀ ବାଡ଼ି ନିକଟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଖୋଲା ଯାଇଥିବା କେନ୍ଦ୍ର ଗୁଡିକରେ ବହୁ ବକ୍ତା ଉପସ୍ଥିତ ରହି ଧାରା ବିବରଣୀ ପ୍ରଦାନ କରିଥିଲେ। ଯାହା ସମଗ୍ର ବଡ଼ ଦାଣ୍ଡକୁ ଭକ୍ତି ଭାବମୟ କରିଦେଇଥିଲା।ସେହିପରି ସମଗ୍ର ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ସର୍ବତ, ଜଳଖିଆ, ଅନ୍ନଭୋଗ ଆଦି ଭକ୍ତଙ୍କ ପାଇଁ ବଣ୍ଟନ କରାଯାଇଥିଲା।
ଆଜି ବାରିପଦାରେ ପ୍ରବଳ ଗୁଳୁଗୁଳି ଲାଗି ରହି ଥିବାରୁ ଅଗ୍ନୀ ଶମ ବିଭାଗ ତରଫରୁ ଭକ୍ତଙ୍କ ଉପରେ ଜଳ ସିଂଛନ କରାଯାଇ ଥିଲା।
ତେବେ ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସହରର ପ୍ରତି ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ପୋଲିସ ମୁତୟନ ହୋଇଥିବା ବେଳେ, ସମସ୍ତ ଅଗନ୍ତୁକ ତଥା ଯାନ ବାହନ ଉପରେ କଡା ନଜର ରଖଯାଇଛି. ଚଳିତ ବର୍ଷ ରଥଯାତ୍ରା ମେଳାରେ ଦୋଳି ସହିତ ବିଭିନ୍ନ ଆମୋଦ ପ୍ରମୋଦ ଏବଂ ଘର କରଣା ଜିନିଷର ଦୋକାନ ଲାଗିଛି। ଏଣୁ କେବଳ ରଥ ଟଣା ନୁହେଁ ମେଳାରେ ମଧ୍ୟ ବ୍ୟାପକ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ଆଜି ସମଗ୍ର ବାରିପଦା ବଡ଼ଦାଣ୍ଡ ରଥମୟ ହୋଇ ରହିଥିବାରୁ ଏବଂ ରଥ ଉପରେ ଶ୍ରୀ ବିଗ୍ରହ ମାନେ ବିରାଜମାନ କରିଥିବାରୁ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।ଆସନ୍ତା କାଲି ଅପରାହ୍ନରେ ପ୍ରଥମେ ଅଧା ବାଟରେ ରହିଥିବା ଦେଵୀ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଂଚିବା ପରେ କାଳିଆର ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସମ୍ମୁଖରୁ ଭକ୍ତ ମାନେ ଟାଣିନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବେ।

