ଭୁବନେଶ୍ୱର,୧୭/୦(ପାଇକପୁଅ ) ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ଅନ୍ଵେଷା ଛାତ୍ର ଛାତ୍ରୀ ନିବାସ କର୍ମଚାରୀ ମହାସଂଘପକ୍ଷରୁ ଓଡ଼ିଶାର ୧୭ଗୋଟି ଜିଲ୍ଲାର ୱାଡେନ, ମେଟ୍ରୋ, ରୋଷେୟାମାନେ ଦୀର୍ଘ ୧୦ ବର୍ଷ ହେବ ସୂଚାରୁ ରୂପେ କାର୍ଯ୍ୟ କରିଆସୁଅଛୁ ।ବଡ଼ ଦୁଃଖର ବିଷୟ ସରକାର ଆମ୍ଭମାନଙ୍କୁ ସିଧାସଳଖ ଭାବେ ଦରମା ଦିଆନଯାଇ ଆଉଟ୍ସିଙ୍ଗରେ ୮୦୦୦ ଟଙ୍କା ଏବଂ ୯୫୦୦
ଟଙ୍କା କରି ଦିଆଯାଉଅଛି ତାହା ସମୁଦ୍ରକୁ ଶଙ୍ଖ ସଦୃଶ । ସେଥରେ ଆମ ପରିବାର ଚଳିବା ବହୁତ କଷ୍ଟକର । ଓଡ଼ିଶାର ପ୍ରତ୍ୟେକ ଅନ୍ଵେଷା ହଷ୍ଟେଲ ଗୁଡ଼ିକର କର୍ମଚାରୀମାନେ ଆନ୍ଦୋଳନ ନ କରି ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କୁ
୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଅଦ୍ୟାବଧୂ କୌଣସି ପଦକ୍ଷେପ ନେଇନାହାନ୍ତି । ବଡ଼ ଦୁଃଖର ବିଷୟ ଆମ୍ଭମାନଙ୍କୁ ଗତ ୨୦୨୪ ମସିହାରେ ପୂର୍ବ ସରକାର ମୂଳ ଦରମାରେ ୨୫ପ୍ରତିଶତ ବୃଦ୍ଧି କରିଥିଲେ । ଓଡ଼ିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ୍ସିଂ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆମ୍ଭମାନଙ୍କୁ ସେଥୁରୁ ବାଦ୍ ଦିଆଯାଇଅଛି । ଆମ୍ଭେମାନେ ୧୭ଗୋଟି ଜିଲ୍ଲାର ସମସ୍ତ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ୨ ବର୍ଷର ବକେୟା ପାଉଣା ଦେବାରେ ଅସମର୍ଥ ହେବାରୁ ଆମ୍ଭେମାନେ ବାଧ୍ୟହୋଇ ଗଣମାଧ୍ୟମରେ ପ୍ରକାଶ କରି ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଦ୍ଵାରସ୍ଥ ହୋଇ ୧୭ ଗୋଟି ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଅଛୁ ।ଆମ୍ଭମାନଙ୍କୁ ଗତ ଅପ୍ରେଲ୍ ୩ ତାରିଖରେ କେତେକ ଜିଲ୍ଲାରେ ଛଟେଇ କରି ବିଦା କରିଦେଇଛନ୍ତି । ୧୭ଟି ଜିଲ୍ଲାରେ କାର୍ଯ୍ୟରତ ହଷ୍ଟେଲ୍କର୍ମଚାରୀ ମାନଙ୍କ ମଧ୍ୟରୁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଗଜପତି, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ରାୟଗଡ଼ା ପ୍ରାୟ ୧୦ଗୋଟି ଜିଲ୍ଲାର କାର୍ଯ୍ୟରତ ଏଲ୍.ସି.ସି.ଏ. ଏବଂ ମେଟ୍ରୋନ୍ମାନେ ଅର୍ନ୍ତଭୁକ୍ତ । ଆମ୍ଭମାନଙ୍କର ବକେୟା ପାଉଣା ଦିଆ ନଯାଇ
ଆମ୍ଭମାନଙ୍କୁ ଛଟେଇ କରାଯାଇଅଛି । ଯଦି ସରକାର ୧୫ ଦିନ ମଧ୍ୟରେ ଆମ୍ଭମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସେବାଶ୍ରମ ହଷ୍ଟେଲ୍ ଗୁଡ଼ିକରେ ଥଇଥାନର ବ୍ୟବସ୍ଥା ନ କରନ୍ତି, ଏବଂ ବକେୟା ପାଉଣା ପ୍ରଦାନ କରିବାରେ ଅବହେଳା କରନ୍ତି, ତା’ହେଲେ ଆସନ୍ତା ଅଗଷ୍ଟ ମାସରେ ଆମ୍ଭେମାନେ ବିଧାନସଭା ସମ୍ମୁଖରେ ୧୭ଗୋଟି ଜିଲ୍ଲାର କାର୍ଯ୍ୟରତ କର୍ମଚାରୀମାନେ ଧାରଣା ଦେବୁ । ଉକ୍ତ ସମ୍ମିଳନୀରେ
ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନା, ରାଜ୍ୟ ସଭାନେତ୍ରୀ ତିଳୋତ୍ତମା ମାଝୀ, ରଶ୍ମିତା ଶତପଥୀ, ରଜନୀଗନ୍ଧା ମହାନ୍ତ, ମଞ୍ଜୁଲତା ପାର୍ବତୀ ସୋରେନ, ଭାରତୀ ନାଏକ, ବନିତା ପ୍ରଧାନ, ମମତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ୭ ଦଫା ସମ୍ବଳିତ ଦାବି ପତ୍ରରେ (୧) ଛଟେଇ କର୍ମଚାରୀମାନଙ୍କୁ ସେବାଶ୍ରମ ମାନଙ୍କରେ ତୁରନ୍ତ ନିଯୁକ୍ତି ଦିଆଯାଉ । (୨) ବେତନ ବୃଦ୍ଧି ପ୍ରତି ମାସରେ ନିୟମିତ ଭାବେ ଦରମା ପ୍ରଦାନ ଏବଂ ଗତ ୨୦୨୪ ମସିହା ମାର୍ଚ୍ଚ ମାସଠାରୁ ୨୫ପ୍ରତିଶତ ଦରମା ବୃଦ୍ଧି ଆମ୍ଭମାନଙ୍କୁ ପ୍ରଦାନ କରାଯାଉ । (୩) ପ୍ରତି ମାସରେ ଇପିଏଫ୍ କଟାଯିବା ବ୍ୟବସ୍ଥା ଠିକ୍ ଭାବେ କରାଯାଉ ଓ ସଠିକ୍ ପ୍ରମାଣପତ୍ର ଦିଆଯାଉ । (୪) ସେବାଶ୍ରମ ହଷ୍ଟେଲ ଗୁଡ଼ିକରେ ବାର୍ଷିକ ୧୫ଦିନ ଛୁଟି ଦିଆଯାଉଥିବା ବେଳେ ଆମ୍ଭମାନଙ୍କୁ ବାର୍ଷିକ ୧୫ ଦିନ ଛୁଟିର ବ୍ୟବସ୍ଥା କରାଯାଉ ।(୫)ଆଉଟସୋର୍ସିଙ୍ଗ ବ୍ୟବସ୍ଥା ବନ୍ଦ କରାଯାଇ ବେତନ ସିଧାସଳଖ ରୂପେ ଜିଲ୍ଲା ମଙ୍ଗଳ ଅଧୂକାରୀ ପ୍ରଦାନ କରନ୍ତୁ । (୬) କାର୍ଯ୍ୟରତ ସମୟରେ ଆକସ୍ମିକ ଦୁର୍ଘଟଣା ପାଇଁ କ୍ଷତିପୂରଣ ମିଳିବା ସହିତ କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ ବୀମା ସୁବିଧା କରାଯାଉ । (୭) ଚାକିରୀ ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ ।

