କୋଣାର୍କ, ୧୭/୦୭(ପାଇକପୁଅ)କୋଣାର୍କସ୍ଥିତ ରାଜାରାମ ମଠ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭୋର ୪ଟା ସମୟରେ ଦ୍ବାର ଫିଟା ନୀତି ସଂପାଦନ କରାଯିବା ସକାଳ ଧୂପ, ମଇଲମ ନୀତି, ମଙ୍ଗଳ ଆଳତି, ମଧ୍ୟାହ୍ନ ଧୂପ, ହୋମଯଜ୍ଞ ଓ ଅନ୍ୟାନ୍ୟ ନୀତି କାନ୍ତି ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ସଂପାଦନ କରାଯାଇଥିଲା। ଏହା ପରେ ତିନି ରଥରେ ଚାରମାଳ ବନ୍ଧା ଯିବା ପରେ ଦିବା ୨ଟା ୩୦ ମିନିଟ ସମୟରେ କୋଣାର୍କ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସେବାୟତ ମାନଙ୍କ ଦ୍ଵାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କାର୍ଯ୍ୟ ଅନୁଷ୍ଠିତ ହୋଇ ଶ୍ରୀଜିଉମାନଙ୍କୁ ରଥାରୁଢ଼ କରାଯାଇଥିଲା ଏହା ପରେ ତିନି ରଥର ସାରଥି ଓ ପାର୍ଶ୍ବ ଦେବାଦେବୀ ମାନଙ୍କୁ ରଥାରୁଢ଼ କରାଯାଇ ତିନି ରଥରେ ଶ୍ରୀଜିଉମାନଙ୍କୁ ପାଟ ବସ୍ତ୍ର ଓ ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ କରାଯାଇଥିଲା ।ଏହା ପରେ ମହାରାଜ ଗୋପାଳ ଚନ୍ଦ୍ର ଦାଶ ପାଲିଙ୍କିରେ ବିଜେ କରି ତିନି ରଥରେ ରଥାରୁଢ଼ ଶ୍ରୀଜିଉମାନଙ୍କ ନିକଟରେ ଛେରା ପହଁରା ନୀତି ଧାର୍ମିକ ରୀତିନୀତି ଅନୁଯାୟୀ ସଂପାଦନ କରାଯିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ରଥଯାତ୍ରାରେ ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ବିଚିତ୍ର ଚୌଧୁରୀଙ୍କ ଟିମ, ସତ୍ଯ ସାଇ ସେବା ସମିତି, ଶ୍ରୀଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସେବା କାର୍ଯ୍ୟ ସଂପାଦନ କରାଯାଇଥିଲା। କୋଣାର୍କ ରଥଯାତ୍ରାରେ ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ବେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା। କୋଣାର୍କ ଥାନା ଏସଆଇ କେଦାର ନାଥ ଦୋରା ଙ୍କ ନେତୃତ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ରାତ୍ର ୭ଟା ୩୦ ମିନିଟ ସମୟରେ ତିନି ରଥ ରାଉଳପାଟଣା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ ।ଆସନ୍ତା କାଲି ରଥାରୁଢ଼ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଅବସ୍ଥାନ କରାଯିବାର ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ରଥଯାତ୍ରା କୁ କୋଣାର୍କ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ଟ୍ରଷ୍ଟି ଇଂ ଅମରେଶ୍ବର ନାୟକ, ପରିଚାଳକ ନିରଜଂନ ବାରିକ, ସମାଜସେବୀ ରାମକୃଷ୍ଣ ମହାନ୍ତି, ମନୋରଞ୍ଜନ ପଣ୍ଡା, ଗୋପାଳ ଦାଶ, ଗଗନ ବିହାରୀ ପାତ୍ର ସମେତ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ଓ ଶ୍ରୀଗୁଣ୍ଡିଚା ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ।

