ଯୋଡା, ୦୧/୦୭(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାର ୩ ନମ୍ବର ୱାର୍ଡ ଅନ୍ତର୍ଗତ ହୁଡ଼ିସାହି ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିର୍ମାଣାଧୀନ ନୂତନ କଲ୍ୟାଣ ମଣ୍ଡପ ସମ୍ମୁଖ ରାସ୍ତାରୁ ହୁଡ଼ିସହି ଏମ ଏ ସି ରୁ ମିତା ସରକାରଙ୍କ ଘର ପର୍ଯ୍ୟନ୍ତ ଥିବା ଡ୍ରେନରେ ପଙ୍କ, ପ୍ଲାଷ୍ଟିକ ଓ ଆବର୍ଜନା ଜମି ରହିଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ଡ୍ରେନର ପାଣି ରାସ୍ତା ଉପରକୁ ଉଠି ଆସୁଥିବାରୁ ଯାତାୟାତ ବ୍ୟାହତ ହେବା ସହ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ,ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ୱାର୍ଡର ଜନପ୍ରତିନିଧି ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ କରାଯାଇନାହିଁ। ଯାହାକି ବହୁ ପୁରାତନ ତିଆରି ହୋଇଥିବା ଡ୍ରେନ ର ଉଭୟ ପାର୍ଶ୍ଵ ଭାଙ୍ଗି ଡ୍ରେନ ମଧ୍ୟକୁ ପଡ଼ିଯାଇଥିବା ରୁ ଡ୍ରେନ ର ପାଣି ରାସ୍ତାରେ ଜମି ରହୁଛି।ତେଣୁ ଏହି ଡ୍ରେନ କାର୍ଯ୍ୟ ନୂତନ ଭାବେ ହେବା କଥା। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ୱାର୍ଡର କାଉନସିଲରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।
ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଡ୍ରେନର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହି ପରିସ୍ଥିତି ଉପୁଜିଛି। ଏପରି ଅବ୍ୟବସ୍ଥା ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ଡ୍ରେନ ସଫେଇ ସହ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ପୌରପାଳିକା କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ୱାର୍ଡର ଜନପ୍ରତିନିଧି କେବେ ଏହି ସମସ୍ୟାର ସମାଧାନ ପାଇଁ ଦୃଢ଼ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

