ମାଲକାନଗିରି,୦୧/୦୭(ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ କୁନିଗୁଡା ଗ୍ରାମରେ ଆନ୍ଧ୍ରପ୍ରଦେଶ ମୂଞ୍ଚିମପୁଟ ପୋଲିସ ଆସି ଗ୍ରାମର ପୁରୁଷ ଏବଂ ମହିଳା ମାନଙ୍କୁ ବିନା ନୋଟିସ ରେ ଗ୍ରାମ ଭିତରେ ପଶି ନିଜ ମନମୁତାବକ ଗିରଫ କରି ନେଇଯାଉଥିବା କହିଛନ୍ତି ଗ୍ରାମବାସୀ। ଆଜିକୁ ୩ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେବ ଏହିପରି ଭାବେ ଆନ୍ଧ୍ରପ୍ରଦେଶ ପୋଲିସ ଆସି କୁନିଗୁଡା, ପରଲୁବାନ୍ଦା, ଗନ୍ଦିଗୁଡା, ରୁମା, ବିଡାର ପାକନା, ମୁଟଲାଗୁଡା, ଜାମଯୋଡି ଏବଂ ତେନ୍ତୁଳିଗୁଡା ଭଳି ଅନେକ ଗ୍ରାମ ରୁ ରାତି ଅଧରେ ଆନ୍ଧ୍ର ରୁ ପୋଲିସ ଆସି ମନଇଚ୍ଛା ଗ୍ରାମର ଲୋକମାନଙ୍କୁ ଉଠେଇ ନେଇ ଜେଲରେ ଭର୍ତ୍ତି କରୁଛନ୍ତି। ଗ୍ରାମବାସୀ ଓଲଟି ପ୍ରଶ୍ନ କରିଛନ୍ତି ଯେ ଯଦି ସେମାନେ ବେଆଇନ କାର୍ଯ୍ୟ ରେ ଲିପ୍ତ କିମ୍ବା କୌଣସି ଅପରାଧ କରିଛନ୍ତି, ତାହା ହେଲେ ଓଡିଶା ପୋଲିସ ପ୍ରଶାସନ କଣ ପାଇଁ ଚୁପ ବସିଛନ୍ତି ? ଓଡିଶା ଭିତରକୁ ଆନ୍ଧ୍ର ପୋଲିସ ଓଡିଶା ପୋଲିସ କୁ ନ ଜଣାଇ ବିନା ଅନୁମତିରେ ମନମୁତାବକ ପ୍ରବେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ କିମ୍ବା ଜନପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ଏହି ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ଗ୍ରାମବାସୀ ଉତ୍ୟକ୍ତ ହୋଇ ଆନ୍ଧ୍ର ପୋଲିସ କରୁଥିବା ଅନ୍ୟାୟ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ଧରି ସ୍ୱର ଉତ୍ତୋଳନ କରି ରାସ୍ତାରୋକ କରି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପୋଲିସ ର ଏପରି ମନମାନି ବିରୁଦ୍ଧରେ ଗ୍ରାମବାସୀ ମାନେ ଆଜି ଏକତ୍ର ହୋଇ ଥାନାର ଦ୍ୱାରସ୍ତ ହୋଇଇଛନ୍ତି। ଯଦି ଏହି ଘଟଣା କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦିଏ ତାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ। ଏନେଇ ଆମେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ଙ୍କୁ ପଚାରିବାରୁ ସେ ଏନେଇ ପାପରମେଟଲା ଥାନାଧିକାରୀ ରାଜେଶ୍ୱର ଶବରଙ୍କୁ ଏହି ଘଟଣା ର ତଦନ୍ତ କରିବାକୁ କହିବା ସହ ସ୍ଥାନୀୟ ସରପଞ୍ଚ ଙ୍କ ସହ ଏହି ଘଟଣା ସମ୍ବନ୍ଧରେ ଆଲୋଚନା କରିଥିବା କହିଛନ୍ତି। ଏଥିସହ କେଉଁ ଅଞ୍ଚଳର ପୋଲିସ ତାହା ଜଣାପଡିନଥିବା ବେଳେ ସମ୍ପୂର୍ଣ ତଥ୍ୟ ଆସିଲେ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ ଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି।

