ବାରିପଦା, ୨୨/୦୪(ପାଇକପୁଅ)ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦାର ବୁଢାବଳଙ୍ଗ, ଚିପଟ ଏବଂ ଇଟା ଯୋଡି ନଦୀର ତ୍ରିବେଣୀ ସାଙ୍ଗମ ପୀଠରେ ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଗତ ୧୭ ତାରିଖରେ ଉଦଘାଟିତ ହୋଇ ଥିବା ବେଳେ ଏହାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି କହିବା ସହିତ ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ ୨୪ ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛି ବୋଲି କହିଥିଲେ। ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ୟୁରୋକିଡ୍ସ ର ନିର୍ଦ୍ଦେଶିକା ସମାଜସେବୀ ସୁନିତା ଘିବେଲା, ମହୋତ୍ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ବଳାଙ୍ଗୀ କେବଳ ମହୋତ୍ସବ ଭିତରେ ସୀମିତ ନରହି ଜିଲ୍ଲା ରେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି ବୋଲି କହିଥିଲେ।ଏହି ଅବସରରେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ, କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଅନୁପ ଦଣ୍ଡପାଟ, ତରୁଣ କୁମାର ଦାଶ, ଶ୍ରୀବତ୍ସ ବେହେରା, ସନ୍ଦୀପ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ବଳାଙ୍ଗୀ ଯୁବସମ୍ମାନ ପ୍ରଦାନ କରାଯାଇଥିଲା. ସେହି ପରି ବିଶିଷ୍ଟ ଆର୍କିଟେକ ଇଂ ମନୋଜ କୁମାର କୁଅଁର ଙ୍କ ଦ୍ୱାରା ପରିଚାଳିତ ମୟୁରଭଞ୍ଜ ଛଉ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ସମନ୍ଧୀୟ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସହ ସମ୍ପାଦକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ସମ୍ପାଦକ ଦୀପକ କୁମାର ନାୟକ ସମ୍ବର୍ଦ୍ଧନା ପର୍ବ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିବା ବେଳେ ମୟୁରଭଞ୍ଜର ପ୍ରସିଦ୍ଧ ଝୁମର ନୃତ୍ୟ ସଂଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ବଳାଙ୍ଗୀ ସେନାର କୁମାରେଶ ନାୟକ, ମିଥୁନ ବାରିକ, ସନତ ବାରିକ, ଦିଲ୍ଲୀପ ପାତ୍ର, ପ୍ରକାଶ କାଣ୍ଡି, ରୋହିତ ବେହେରା, ମନୋରଞ୍ଜନ ବାରିକ, ରାଜକିଶୋର ମହାନ୍ତ, ପ୍ରମୁଖଙ୍କ ନେତୃତ୍ୱରେ ବହୁ ସ୍ବେଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
