ଯୋଡା, ୧୨/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ରବିବାର ଦିନ ଏକ ଭୟାବହ ଘଟଣା ଘଟିଛି। ସାମାନ୍ୟ ବାଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ କାଠ ଫାଳିଆରେ ଆକସ୍ମିକ ଭାବେ ପଛପଟରୁ ମାରଣାତ୍ମକ ଆକ୍ରମଣ କରାଯାଇଥିଲା। ଯାହାକି ସେ ଗୁରୁତର ଆହତ ହୋଇ ଥିଲେ।
ଆହତ ଯୁବକଙ୍କ ପରିଚୟ ଅଜୟ କୁମାର ପାତ୍ର ଭାବେ ଜଣାପଡ଼ିଛି। ସେ ବର୍ତ୍ତମାନ କମାରଯୋଡା ଅଞ୍ଚଳରେ ବସବାସ କରି ମିସ୍ତ୍ରୀ କାମ କରୁଥିବା ବେଳେ, ତାଙ୍କ ମୂଳ ଘର କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ଗ୍ରାମରେ ବୋଲି ଜଣା ପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ଅଜୟ ବସ୍ ଷ୍ଟାଣ୍ଡ ବଜାରକୁ ପରିବା କିଣିବା ପାଇଁ ଆସିଥିବା ବେଳେ, ଜଣେ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଲକ୍ଷ୍ୟ କରି କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଆଖି ପାଖରେ ଗଭୀର ଆଘାତ ଲାଗିଥିବାର ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତତ୍କ୍ଷଣାତ୍ ଆହତଙ୍କୁ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲ କୁ ନେଇଥିଲେ। ସେଠାରେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତକାଲି ଟାଟା ଖଣି ଅଞ୍ଚଳରେ ଜଣେ ବ୍ୟକ୍ତି ସହ ଅଜୟଙ୍କ ବଚସା ହୋଇଥିଲା। ସେହି ଘଟଣାକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ଘଟିଥିବା ସନ୍ଦେହ ପ୍ରକାଶ ପାଉଛି।
ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।
ଦିନ ଦ୍ବିପହରରେ ବ୍ୟସ୍ତ ବଜାର ମଝିରେ ଏପରି ମରଣାତ୍ମକ ଆକ୍ରମଣ ଘଟିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
