ବାରିପଦା,୨୪/୦୨(ପାଇକପୁଅ) ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାରେ ପିଲା ଚୋରୀ ଗୁଜବ ଭୟଙ୍କର ପରିସ୍ଥିତିରେ ପହଞ୍ଚିଲାଣି।ପିଲାଚୋର ସନ୍ଦେହରେ ଅଜଣା ବ୍ୟକ୍ତିଙ୍କୁ ଗୋଷ୍ଠୀଗତ ଆକ୍ରମଣ ଫଳରେ ନିରୀହ ସାଧାରଣ ଲୋକ ଆହତ ହେବା ସହିତ ମୃତ୍ୟୁମଧ୍ୟ ଘଟୁଛି।ସୋମବାର ଦିନବେଳେ ମୋରଡା ଥାନା ଅଧୀନ ଡେଙ୍ଗାଶୋଳ ଲୋଧା ସାହି ଠାରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ଲୋକେ ପିଟିପିଟି ମାରିଦେଇଥିବା ବେଳେ, ପୁନଶ୍ଚ ସୋମବାର ରାତିରେ ଶ୍ୟାମାଖୁଣ୍ଟା ବ୍ଲକ ଆମ୍ବଶିକଡା ଠାରେ ଏକ ଦମ୍ପତି ନିଜ ବାପଘରୁ ଫେରୁଥିବା ବେଳେ ତାଙ୍କୁ ଅଟକାଇ ପିଲାଚୋର କହି ଲୋକେ ମାଡ଼ ମାରିଥିଲେ. ଏହି ଗୁଜବ ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣକୁ ଅତି ନିର୍ମମ ଭାବରେ ମାଡ଼ ମାରିଥିଲେ. ମହିଳା ଜଣକ କେନ୍ଦୁଆ ନିକଟସ୍ଥ ରଂଗୀଭୋଳ ଗ୍ରାମର ହିମାନି ହାଁସଦା ଓ ତାଙ୍କ ସ୍ୱାମୀ ବାରିପଦା ସହର ସ୍ଥିତ ତକତପୁର ଅଂଚଳର ଗଣେଶ୍ୱର କିସ୍କୁ. ଲୋକେ ତାଙ୍କୁ ଗାଡିରୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ୱାମୀ ଜଣକ ନିଜ ଜୀବନକୁ ବାଜି ଲଗାଇ ନିଜ ସ୍ତ୍ରୀ କୁ ଯଥା ସମ୍ଭବ ରକ୍ଷା କରିଥିଲା. ପ୍ରଥମେ ପହଂଚି ଥିବା ଚାରିଜଣ ପୋଲିସ କର୍ମୀଙ୍କୁ ଲୋକେ ମାରିବାକୁ ମଧ୍ୟ ପଛାଇ ନଥିଲେ. କିଛି ସମୟ ପରେ ବାରିପଦା ସଦର ଉପଖଣ୍ଡ ଅଧିକାରୀ ଓ ସଦର ଥାନା ଅଧିକାରୀ ଓ ପୋଲିସ ପ୍ଲାଟୁନ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଦମ୍ପତିଙ୍କ ଉଦ୍ଧାର କରିଥିଲେ. ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମଧ୍ୟ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ. ଗୁରୁତର ଆହତ ଦୁହିଁଙ୍କୁ ପୋଲିସ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲା. ତେବେ ଘଟଣା ବାବଦରେ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ ହୋଇ ପୋଲିସ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅପରାଧୀ ମାନଙ୍କୁ ଖୁବଶୀଘ୍ର ଧରା ଯିବ ବୋଲି ବାରିପଦା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା କହିଛନ୍ତି।ଗିରଫ ୧୬ ଜଣ ଅପରାଧୀ କାମଦେବ ମାର୍ଣ୍ଡି (୩୫), ଶକ୍ତି ସିଂ (୨୩), ପ୍ରଶାନ୍ତ ବାରିକ (୨୩), ସୁଶାନ୍ତ ବାରିକ (୧୯) କୃଷ୍ଣ ମହାନ୍ତ (୪୫) ରବି ସିଂ (୨୧)ମାନସ କୁମାର ମହାନ୍ତ (୨୫)ରଞ୍ଜନ ମହାନ୍ତ (୪୭), ବିଶୁ ସିଂ (୨୫), ମହାଦେବ ସିଂ (୨୫), କେରା ସିଂ (୪୦), ସୁଲୋଚନା ସିଂ (୨୯), ଶିବ ବାରିକ (୪୦), ସତ୍ୟବ୍ରତ ବେହେରା (୩୪), ଅଭିଜିତ ସିଂ (୨୦), ରାଜା ସିଂ (୧୯) ଙ୍କୁ ଆଜି କୋର୍ଟ ଫରୱାଡ କରାଯାଇଛି।ଜିଲ୍ଲା ରେ ପିଲାଚୋରି ଗୁଜବ ନେଇ କିଛିଦିନ ହେବ କ୍ରମାଗତ ଅପରାଧ ଘଟି ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରି ପିଲାଚୋର ଗୁଜବ ରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଯଦି କୌଣସି ସନ୍ଦେହ ଜନକ ବ୍ୟକ୍ତି କୌଣସି ଅଞ୍ଚଳରେ ଦେଖାଯାଆନ୍ତି ତେବେ ଆଇନକୁ ହାତକୁ ନନେଇ ସ୍ଥାନୀୟ ପୋଲିସକୁ ବା ୧୧୨ନମ୍ବରରେ ଫୋନକରି ଖବର ଦେବାକୁ ଅନୁରୋଧ କରିଛନ୍ତି।ସେହିପରି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଗୁଜବ ରୋକିବାକୁ ପ୍ରତି ଥାନା ଅଞ୍ଚଳରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କର ବୈଠକ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି ବୋଲି ଏସପି କହିଛନ୍ତି।
