ମାଲକାନଗିରି,୨୪/୦୨ (ସୁଧାଂଶୁ ଶେଖର ମହାନ୍ତି)ସୋମବାର ଅପରାହ୍ନରେ ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ସମେତ ଏହାର ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷା ମାଡି ଆସିଥିଲା। ବିକ୍ରି ନହୋଇ ମଣ୍ଡିରେ ପଡି ରହିଥିବା ଥିବା ପ୍ରାୟ ୭ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ ଏହି ଅଦିନିଆ ବର୍ଷା କାରଣରୁ ବହୁ ଚାଷୀଙ୍କ ଧାନ ଭିଜିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ତରଫରୁ ପର୍ଯ୍ୟାପ୍ତ ପରିମାଣର ଜରିପାଲ ନଥିବା କାରଣରୁ କିଛି ଚାଷୀ ସଙ୍ଗେ ସଙ୍ଗେ ବାଧ୍ୟହୋଇ ନିଜ ନିଜ ଘରୁ କିଛି ଜରିପାଲ ଆଣି ନିଜ ଧାନକୁ ଘୋଡାଇବାକୁ ଚେଷ୍ଟା କରିଥିବା ବେଳେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପାଣିରେ ଭିଜି ଯାଇଥିଲା। ଏନେଇ ଆମେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗା ଯୋଗ ହୋଇନପାରିବାରୁ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା । ଏଣୁ ଆମେ କୋରୁକୋଣ୍ଡା ଲ୍ୟାମ୍ପସ ଅଧିକାରୀ ଅଭିମନ୍ୟୁ ହାଲବାଙ୍କୁ ପଚାରିବାରୁ କୋରୁକୋଣ୍ଡା ମଣ୍ଡି ଅଧୀନରେ ପ୍ରାୟ ୭ ହଜାର କୁଇଣ୍ଟାଲରୁ ଅଧିକ ଧାନ ଗଛିତ ରହିଥିବା ବେଳ ସେଥି ମଧ୍ୟରୁ ପ୍ରାୟ ୩ ହଜାର କୁଇଣ୍ଟାଲରୁ ଅଧିକ ଧାନ ଆଇସ୍କାନ କରିବା ସହିତ ବିଭାଗ ପକ୍ଷରୁ କ୍ରୟ ସରିଛି କିନ୍ତୁ ବର୍ତ୍ତମାନ ସୁଧା ମିଲର ମାନେ ଆସିନଥିବା କାରଣରୁ ଚାଷୀଙ୍କ ଧାନ ମଣ୍ଡିରୁ ଉଠା ଯାଇ ପାରୁନଥିବା ସେ କହିଥିଲେ । ଏବଂ ଆକସ୍ମିକ ଭାବେ ବର୍ଷା ହୋଇଥିବା କାରଣରୁ ସମସ୍ତ ଧାନକୁ ଘୋଡାଇବାରେ ଅସୁବିଧା ହୋଇଥିଲା। ବର୍ତ୍ତମାନ ଜରିପାଲ ଆଣିବା ନିମନ୍ତେ ଜିଲ୍ଲା ସଦର ମହକୁମାକୁ ଗାଡି ପଠାଯାଇଛି ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ। ଏହି ଅଦିନିଆ ବର୍ଷାରେ ବିଭାଗ ପକ୍ଷରୁ କୌଣସି ଅଧିକାରୀଙ୍କ ଦେଖା ନଥିବା ବେଳେ ସ୍ଥାନୀୟ ଚାଷୀ ପାଣ୍ଡୁ କବାସୀ, ଲକ୍ଷ୍ମଣ ମାଢି, ଦୁର୍ଯ୍ୟୋଧନ ମାଡକାମୀ, ଟାଇମ୍ପାସ ମାଡକାମୀ, ରାଜୁ ମାଢି, ସମୀର ଦେବନାଥ, ପାଣ୍ଡା ଗଉଡ, ପଦଲାମ ଗୋଲାରି, ଡାୟାଲ ବନିକ, ରାକେଶ ମାଝୀ, ପୀତାମ୍ବର ନାରାୟଣ, ଜଗନ୍ନାଥ ହିଆଲଙ୍କ ସମେତ ଅନେକ ଚାଷୀ ନିଜ ନିଜର ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ନିମନ୍ତେ ଧାନ ବସ୍ତା ତଳୁ ପାଣି ବାହାର କରିବାରେ ଲାଗିଥିବା ବେଳେ କିଛି ଚାଷୀ ଜମି ରହିଥିବା ବର୍ଷା ଜଳକୁ ବାହାର କରୁଥିବା ଦେଖିବାକୁ ମିଳିଥିଲା।
