ମାଲକାନଗିରି,୨୫/୦୨ (ସୁଧାଂଶୁ ଶେଖର ମହାନ୍ତି)ଲକ୍ଷାଧିକ ଟଙ୍କାର ପଙ୍କ ଉଦ୍ଧାର ଯନ୍ତ୍ରାଂଶ ଗାଡି ବର୍ଷ ବର୍ଷ ଧରି ପଡି ରହି ବ୍ୟବହାର ନ ହୋଇ ଖାଉଚି ଖତ, ସରକାରୀ ପାଣ୍ଠି ର ହେଉଛି ଅପବ୍ୟୟ। ସବୁ ଜାଣି ନିଘୋଡ଼ ନିଦ୍ରାରେ ଶୋଇଛି ଏନଏସି ପ୍ରଶାସନ। ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଦେଖିବାକୁ ମିଳିଛି। ବାଲିମେଳା ସହର ନିମନ୍ତେ ଏନଏସି ପକ୍ଷରୁ ସହରର ଛୋଟ ବଡ଼ ନାଳ ନର୍ଦମା ସଫା ହେବା ନିମନ୍ତେ ଆଜିକୁ ବର୍ଷେ ପୂର୍ବେ ଡେସିଲଟିଙ୍ଗ ମେସିନ ସମେତ ଅନ୍ୟ ୨ କ୍ଲିନିଙ୍ଗ ମେସିନ କ୍ରୟ ହୋଇଥିଲା। ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମେସିନ ୩ଟି କିଣାଗଲା ସତ କିନ୍ତୁ ଆଜି ଯାଏଁ ଥରେ ମଧ୍ୟ ତାହା ବ୍ୟବହାର ହୋଇ ପାରିଲା ନାହିଁ। ଏଥି ସମେତ ଗାଡି ଗୁଡ଼ିକ ରେ ଏଯାଏଁ ନମ୍ବର ପ୍ଲେଟ ମଧ୍ୟ ଲାଗି ନଥିବା ଦେଖିବାକୁ ମିଳିଛି। କେବଳ ଏହି ୩ଟି ଗାଡି ନୁହେଁ ଗତ ୬ ମାସ ପୂର୍ବେ ମଧ୍ୟ ଏନଏସି ପକ୍ଷରୁ ୩ ଟି ଟାଟା ମ୍ୟାଜିକ ଅଳିଆ ଗାଡି କ୍ରୟ କରାଯାଇଥିବା ବେଳେ ତାହା ବର୍ତ୍ତମାନ ସଫେଇ କାର୍ଯ୍ୟରେ ନିୟୋଜିତ ହେଉଛି। କିନ୍ତୁ ଏଯାଏଁ ଉକ୍ତ ୩ଟି ନୂତନ ଅଳିଆ ଗାଡି ଗୁଡିକରେ ନମ୍ବର ପ୍ଲେଟ ଲଗା ଯାଇନଥିବା ଦେଖିବାକୁ ମିଳିଛି। ନମ୍ବର ବିହୀନ ଅଳିଆ ଗାଡି ପ୍ରତ୍ୟେକ ଦିନ ସହରରେ ଘୁରି ବୁଲୁଚି। କିନ୍ତୁ ଏନେଇ ପୋଲିସ ପ୍ରଶାସନ କିମ୍ବା ଆରଟିଓ ପାଖରେ କୌଣସି ସୂଚନା ନାହିଁ। ଏନେଇ ଆମେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ଙ୍କୁ ପଚାରିବାରୁ ସହରର ନାଳ ନର୍ଦମା ନିମନ୍ତେ ଆସିଥିବା ଯନ୍ତ୍ରାଂଶ ଗାଡି ଆବଶ୍ୟକ ଠାରୁ ଛୋଟ ରହିଥିବା ଫଳରେ ଅଧିକ ଖର୍ଚ୍ଚରେ କମ କାର୍ଯ୍ୟ ହେଉଛି ତେଣୁ ବଡ଼ ଯନ୍ତ୍ରାଂଶ ଗାଡି ଏନଏସି ପକ୍ଷରୁ କିଣାଯିବା ନେଇ ଯୋଜନା ଚାଲିଛି ଏବଂ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ନମ୍ବର ବିହୀନ ଗାଡି ଗୁଡିକର ନମ୍ବର ପ୍ଲେଟ ନିମନ୍ତେ ବେସରକାରୀ ସଂସ୍ଥା କୁ ଦିଆଯାଇଛି। ଉକ୍ତ ସଂସ୍ଥା ଟି ନମ୍ବର ପ୍ଲେଟ ଯୋଗାଇବାରେ ବିଳମ୍ବ କରୁଥିବା ହେତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୋରା ସିଧାସଳଖ ଆରଟିଓ ରୁ ନମ୍ବର ପ୍ଲେଟ ଅଣାଯିବ ବୋଲି କହିଥିଲେ। ତେବେ ତୁରନ୍ତ ଉକ୍ତ ଯନ୍ତ୍ରାଂଶ ଗାଡି ଗୁଡିକୁବ ବଦଳାଇବା ସହ ନମ୍ବର ପ୍ଲେଟ ତୁରନ୍ତ ଅଳିଆ ଗୁଡିକରେ ଲଗାଇବାକୁ ସହରବାସୀ ଦାବି କରିଛନ୍ତି।

