ବାରିପଦା, ୨୦/୦୨(ପାଇକପୁଅ)ଶିମିଳିପାଳକୁ ଶିକାରମୁକ୍ତ କରିବା ପାଇଁ ସରକାର ଏବଂ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଥିଲେ ମଧ୍ୟ ଶିମିଳିପାଳରେ ଶିକାର ବନ୍ଦ ହେଉନି।ଶିକାର ରୋକିବା ପାଇଁ ଶିମିଳିପାଳରେ ଏଆଇ ଟ୍ରାପ କ୍ୟାମେରା ଲଗାଯାଇ ଶିକାରୀ ମାନଙ୍କର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖା ଯାଉଛି। ଟ୍ରାପ କ୍ୟାମେରା ଆଧାରରେ ଇତି ମଧ୍ୟରେ ବହୁ ଶିକାରୀ ମଧ୍ୟ ଧରା ହେଲେଣି।ତେବେ ଗୁରୁବାର ରାତି ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ସାମୁହିକ ଭାବେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରୀ ଦଳଙ୍କ ଗତିବିଧି ଏଆଇ କ୍ୟାମେରାରେ ଟ୍ରାପ ହେବାପରେ ଶିମିଳିପାଳ ଦକ୍ଷିଣ କର୍ମଚାରୀଙ୍କ ୨୪ ଘଣ୍ଟାର ଅପରେଶନ ପରେ ୩୯ ଜଣ ଶିକାରିକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯ଟି ଦେଶୀ ବନ୍ଧୁକ ୨୦ ଧନୁତୀର, ବିପୁଳ ପରିମାଣର ବନ୍ଧୁକ ପାଉଡର ସହ ବିଭିନ୍ନ ଶିକାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବନ ବିଭାଗର ଚଢ଼ାଉ ବିଷୟରେ ଜାଣିପାରି ଶିକାରୀ ମାନେ କୌଣସି ବିରୋଧ ନକରି ଆତ୍ମ ସମର୍ପଣ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ଉଦଳା ଥାନା ଅଧିନ ଅମ୍ବିକାଦେଇପୁର, ମହାଲିସାହି, ଲୁକୁଇଡା, ମାଟାକମଟଲା, ଜିତୁସାହି, ଖଲାଡି, ଲଙ୍ଗାଡି ଗ୍ରାମର ଶିକାରୀ ବୋଲି ଚିହ୍ନଟ କରାଯାଇଥିବା ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ପ୍ରକାଶ କରିଛନ୍ତି।

