ମାଲକାନଗିରି,୧୧/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିମଟାପାଲି ପଞ୍ଚାୟତର ଏମଭି-୧୧୯ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ଆରଡି-୨ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ନେଇ ପୂର୍ବରୁ ଟେଣ୍ଡର ପ୍ରକାଶ ପାଇଥିବା ବେଳେ ଏହି କାର୍ଯ୍ୟଟି ମ୍ରିନାଲ ସରକାର ନାମକ ଠିକାଦାର ପାଇଥିଲେ। ତେବେ ରାସ୍ତାରେ ହେଉଥିବା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଯାତାୟାତ ରେ ସୁଦ୍ଧାର ଆସିବ ବୋଲି ଗ୍ରାମବାସୀ ଆଶା ବ୍ୟକ୍ତ କରିଥିଲେ। କିନ୍ତୁ ଏହି ନିର୍ମାଣଧିନ ପୋଲର ଛାତ କାର୍ଯ୍ୟ ଶେଷ ହୋଇ ଅଳ୍ପ କେଇ ଘଣ୍ଟା ବିତିଥିବା ବେଳେ ପୋଲର ଛାତ ଉପରେ ଅନେକ ଫାଟ ସୃଷ୍ଟି ହୋଇଥିବା ଗ୍ରାମବାସୀ ଦେଖି କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି। ଏହାସହ ପୋଲଟିର ଛାତ ମଧ୍ୟ ନିୟମ ଅନୁଯାୟୀ ହୋଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଗ୍ରାମ କମିଟି ସଭାପତି ନିତାଇ ମଣ୍ଡଳ, ଉପ ସଭାପତି ସୁଶାନ୍ତ ସର୍ଦାର, ସମ୍ପାଦକ ମନୀନ୍ଦ୍ର ମଣ୍ଡଳ, କୋଷାଧ୍ୟକ୍ଷ ମିଥୁନ ରାୟ, ପରିତୋଷ ହାଲଦାର, ଗୋପାଳ ମଣ୍ଡଳ, ସୁବ୍ରତ ମିସ୍ତ୍ରୀ ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ପୋଲ ନିର୍ମାଣ ସ୍ଥାନରେ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ପୋଲ ନିର୍ମାଣ ସମୟରେ ବିଭାଗ ପକ୍ଷରୁ କାର୍ଯ୍ୟ ର ମାନ କୁ ସଠିକ ଭାବେ ଯାଞ୍ଚ କରାଯାଉନଥିବା ହେତୁ ଏଭଳି ନିମ୍ନ ମାନର କାର୍ଯ୍ୟ ହେଉଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଆମେ ବିଭାଗୀୟ ଯନ୍ତ୍ରୀ ଦୀନବନ୍ଧୁ ସାମନ୍ତ ଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣା କୁ ଖଣ୍ଡନ କରିଛନ୍ତି। କାର୍ଯ୍ୟ ସମୟରେ ସେ ସଠିକ ଭାବେ ତଦାରଖ କରିବା ସହ ନିୟମ ଅନୁଯାୟୀ କାର୍ଯ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହାସହ ପୋଲରେ ଏଭଳି ଫାଟ ଦେଖାଯିବା ସାଧାରଣ କଥା ଏହାଦ୍ବାରା ପୋଲକୁ କୌଣସି କ୍ଷତି ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
