ମାଲକାନଗିରି,୦୬/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ନିମନ୍ତେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବକୁ ପଞ୍ଚାୟତ ସାନ୍ଧନ କେନ୍ଦ୍ର ସଂଯୋଜକ କିଶୋର ଖୋସଲାଙ୍କ ଦ୍ବାରା ବିଧିବଦ୍ଧ ଭାବେ ଉଦଘାଟନ କରାଯିବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖେଳରେ ଶୃଙ୍ଖଳା , କର୍ତ୍ତବ୍ୟ ନିଷ୍ଠ ଏବଂ କ୍ରୀଡ଼ା ସ୍ପୃହା ମନୋବୃତ୍ତିର ଭାବନା ରଖି ଖେଳିବା ନିମନ୍ତେ ଶପଥ ପାଠ କରାଯାଇଥିଲା। ଏହା ପରେ ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ଖେଳକୁଦ ପ୍ରତିଯୋଗିତାର ପ୍ରଦର୍ଶନ କରିଥିଲେ। ବିଶେଷ କରି କୁନି କୁନି ପିଲାମାନଙ୍କ ଖେଳ ଅଧିକ ଆକର୍ଷଣୀୟ ରହିଥିଲା। ସ୍ଥାନୀୟ ଗ୍ରାମବାସୀ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କ୍ରୀଡ଼ା ଉତ୍ସବର ମଜା ନେଇଥିଲେ।କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶେଷରେ ଖେଳ ହେଉ କି ଜୀବନର କୌଣସି ପରୀକ୍ଷା ହାର ଜିତ ଗୁରୁତ୍ୱପୂର୍ଣ୍ଣ ନୁହେଁ,ଆମେ ଅସଫଳତା ମଧ୍ୟରେ ସଫଳତାର ଚାବିକାଠି ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହପୂର୍ଣ୍ଣ ବାର୍ତ୍ତା ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ଶିଶା , ପୁର୍ବତନ ଛାତ୍ର ଗଣେଶ ଶିଶାଙ୍କ ସହ ସହକାରୀ ଶିକ୍ଷକ ନିତାଇ କୁମାର ରାଏ, ଶିକ୍ଷୟତ୍ରୀ ରଶ୍ମିତା ଜାଲି, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ସୌଦାମିନୀ ମହାରଣା ଏବଂ ଅନ୍ୟ କର୍ମଚାରୀ ମାନେ ଏହି କ୍ରୀଡ଼ା ଉତ୍ସବରେ ସହଯୋଗ କରି ସଫଳ କରିଥିଲେ।
