ନୂଆଦିଲ୍ଲୀ; ୦୨/୦୧(ପାଇକପୁଅ) ମଧ୍ୟପ୍ରଦେଶରର ଇନ୍ଦୋରରେ ବିଷାକ୍ତ ପାଣି ପାଇଁ ୧୫ ଜଣଙ୍କ ଜୀବନ ଯାଇଥିବାବେଳେ ୧୪ଶହରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମାଲୋଚନା କରିଛନ୍ତି । ସେ ପ୍ରଶାସନ, ସରକାର ଏବଂ ନେତାଙ୍କୁ ଦୋଷ ଦେଇଛନ୍ତି । ଏଭଳି ଏକ ଦୁଃଖଦ ସମୟରେ ବିଜେପି ନେତା ଅହଂକାରୀ ବୟାନ ଦେଉଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ରାହୁଲ ନିଜର ପୋଷ୍ଟରେ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି, ସେ ପଚାରିଛନ୍ତି ପାନୀୟ ଜଳରେ କେମିତି ମିଳିଲା ନର୍ଦ୍ଦମା ପାଣି ? କାହିଁକି ସଠିକ୍ ସମୟରେ ଯୋଗାଣ ବନ୍ଦ କରାଗଲା ନାହିଁ ? ଏହି ଘଟଣାରେ ଦାୟୀ ଅଧିକାରୀ ଏବଂ ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ?
ରାହୁଲ ନିଜର ପୋଷ୍ଟରେ କଡ଼ା ପ୍ରଶ୍ନ କରିଥିବାବେଳେ ଡବଲ ଇଞ୍ଜିନ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି କି, ମଧ୍ୟପ୍ରଦେଶରେ ଏବେ ଅରାଜକତା ବଢ଼ିବାରେ ଲାଗିଛି । କେତେବେଳେ କଫସିରଫ୍ ପାଇଁ ମୃତ୍ୟୁ ହେଉଛି ତ ଆଉ କେତେବେଳେ ମେଡିକାଲରେ ଅକାରଣରେ ଜୀବନ ଯାଉଛି । ସବୁଥର ଭଳି ଏଥର ମଧ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ୧୧ ବର୍ଷ ଧରି ସରକାର ଖାଲି ବାଃ ବାଃ ନେଉଛନ୍ତି। ସେପଟେ ମନ୍ତ୍ରୀଙ୍କୁ ସାମ୍ବାଦିକ ପ୍ରଶ୍ନ କରୁଥିବାବେଳେ ସେ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି । ଜଳ ଜୀବନ ଯୋଜନାରେ ଅନେକ ଘୋଟାଲା ହୋଇଥିବା ମଧ୍ୟ ସେ ଲେଖିଛନ୍ତି । ତେବେ ଇନ୍ଦୋରରେ ବିଷାକ୍ତ ପାଣି ପାଇଁ ୧୫ ଜୀବନ ଯାଇଥିବାବେଳେ ଏବେ ଅନେକ ଆକ୍ରାନ୍ତ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଯାହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରୁଛି । ଅନ୍ୟପଟେ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ବିରୋଧୀମାନେ ଅଯଥା ଯୁକ୍ତି କରୁଛନ୍ତି ।
