ବାରିପଦା,୧୯/୧୨(ପାଇକପୁଅ)ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ରମଣୀ ରଞ୍ଜନ ବିଶ୍ବାଳ, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ, ଶାମା ଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଙ୍ଘମିତ୍ରା ପଟ୍ଟନାୟକ, ଏସଡିଭିଓ ରାଇରଙ୍ଗପୁର ସୁଶାନ୍ତ କୁମାର ସିଂ ପ୍ରମୁଖ ଯୋଗ ଦେଇ ସମ୍ୱନ୍ୱିତ କୃଷି ମେଳାର ବିଭିନ୍ନ ଦିଗ ଉପରେ ଆଲୋକପାତ ପୂର୍ବକ ସରକାର ଚାଷୀ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି।ଏଣୁ ଯୁବକମାନେ ବାହାର ରାଜ୍ଯକୁ ନଯାଇ ନିଜ ଘର ପାଖରେ କୃଷି କାର୍ଯ୍ୟ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା. ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ, ମେଳାରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଧାରିତ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ କୁଳିଅଣାର ପ୍ରଦୀପ କୁମାର ପରିଡା, କୁଳିଅଣା କେଉଟୁଣୀମାରିର ଓମସାଇ ସ୍ଵୟଂସହାୟିକା ଗୋଷ୍ଠୀ, ବଡସାହିର ଶୁଭ ଲକ୍ଷ୍ମୀ ମହାନ୍ତି, କରଞ୍ଜିଆର ମା କାଳୀଜାଈ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସଫଳ ଚାଷୀଭାବେ ପ୍ରୋତ୍ସାହନ ରାଶି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ମେଳାରେ ସ୍ଵୟଂସହାୟିକା ଗୋଷ୍ଠୀ ତରଫରୁ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ଷ୍ଟଲ ଖୋଲା ଯାଇଥିବା ବେଳେ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

